ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ହେବ ସମ୍ପ୍ରସାରଣ: ପ୍ରମୁଖ ସଚିବଙ୍କ ସ୍ଥିତି ସମୀକ୍ଷା
Expansion meeting of VSS airport
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ହେବ ସମ୍ପ୍ରସାରଣ: ପ୍ରମୁଖ ସଚିବଙ୍କ ସ୍ଥିତି ସମୀକ୍ଷା


ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସଏସ) ବିମାନବନ୍ଦରର କଳେବର ବୃଦ୍ଧି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଏନ୍.ବି.ଏସ୍ ରାଜପୁତ ବିମାନବନ୍ଦର ପରିସରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସମ୍ପ୍ରସାରଣ ଯୋଜନାର ଅନୁଧ୍ୟାନ କରିଛନ୍ତି। ବିଶେଷ କରି ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନର କରିବା ଏବଂ ଏଠାରେ ବଡ଼ ଧରଣର ବୋଇଂ-୭୭୭ ବିମାନ ଅବତରଣ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ସମୀକ୍ଷା କାଳରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ରହି ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଭୂମି ଏବଂ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସମ୍ପ୍ରସାରଣ ପାଇଁ ଅତିରିକ୍ତ ୨୩୫ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ଏହାର ଅଧିଗ୍ରହଣ ପ୍ରକ୍ରିୟା କିଭଳି ତ୍ୱରାନ୍ୱିତ ହେବ, ସେ ନେଇ ଜିଲ୍ଲାପାଳ ପ୍ରମୁଖ ସଚିବଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଏହି ବିମାନବନ୍ଦର କେବଳ ଘରୋଇ ସେବା ମଧ୍ୟରେ ସୀମିତ ଥିବାବେଳେ, ଅଧିକ ଜମି ଅଧିଗ୍ରହଣ ପରେ ରନୱେ ଏବଂ ଟର୍ମିନାଲର ସମ୍ପ୍ରସାରଣ କରାଯିବ।

ଏହି ବିମାନ ବନ୍ଦର ଅର୍ନ୍ତଗତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଗସ୍ତ ସମୟରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande