




ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ଆଜି ବଲାଙ୍ଗିର ଜିଲ୍ଲାରେ ହର୍ସ ଉଲ୍ଲାସରେ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀମାନେ ଇଦ ଉଲ ଫିତର ପର୍ବ ପାଳନ କରିଛନ୍ତି। ଗତକାଲି ରମଜାନ ମାସର ଶେଷ ସନ୍ଧ୍ୟାରେ ଇଦର ଚାନ୍ଦ ଦେଖିବା ପରେ ଆଜି ଏଠାରେ ଇଦ୍ ପାଳନ କରାଯାଇଛି I ବଲାଙ୍ଗିର ଜିଲ୍ଲାର ପଟଣାଗଡ଼, ଟିଟିଲାଗଡ଼, ଲୋଇସିଂହା, କଣ୍ଟାବାଞ୍ଜି ଓ ବଲାଙ୍ଗିର ସହରରେ ସବୁ ମୁସଲମାନମାନେ ଇଦ ନମାଜ ପାଠ କରି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ବଲାଙ୍ଗିର ସୁନ୍ନି ସଦର ମସଜିଦରେ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ସହରର ସବୁ ମୁସଲମାନ ଭାଇମାନେ ଏକାଠି ହୋଇ ଇଦ ନମାଜ ପାଠ କରିଥିଲେ। ନମାଜ ପରେ ସମସ୍ତେ ପରସ୍ପରଙ୍କୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଥିଲେ। ହେଲେ ଗୋଟିଏ ମାସର ନିର୍ଜଲା ଉପବାସ ରୋଜା ରଖିବା ପରେ ଆଜି ସବୁ ମୁସଲିମ ଭାଇଭଉଣୀ ମାନେ ଇଦ୍ ଉଲ ଫିତର ପାଳନ କରିଛନ୍ତି l ଯାହା ନୂତନତ୍ଵର ପର୍ବ ସହ ଦାନ ଧର୍ମର ପର୍ବ ଭାବରେ ମୁସଲମାନମାନେ ପାଳନ କରିଥାନ୍ତି। ଏବଂ ଉପବାସ ପରେ ମୁସଲମାନମାନେ ଗରିବଙ୍କୁ ଦାନ ଧର୍ମ ବା ଫିତ୍ରା ପ୍ରଦାନ କରିଥାନ୍ତି। ଏହି ଅବସରରେ ବିଶ୍ୱରେ ଶାନ୍ତି ପାଇଁ ସମୂହ ପ୍ରାର୍ଥନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ