
ଭଦ୍ରକ, ୨୧ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଜାମଯୋଡି ସମବାୟ ସମିତିର ଗୋଦାମରେ ଛାତ ନାହିଁ। ଏହି ଛାତନଥିବା ଗୋଦାମରେ ରହିଥିବା ଚାଷୀଙ୍କ ୮ହଜାର କୁଇଂଟାଲ ଧାନ ବସ୍ତା ବର୍ଷା, ଖରା,କାକର ଖାଉଛି। ଫଳରେ ଧାନ ନଷ୍ଟ ହେବା ଆଶଙ୍କା ରହିଛି।ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ସମିତିକୁ ମିଳିଥିବା ଟାର୍ଗେଟରେ ସମସ୍ତ ପଞ୍ଜିକୃତ ଚାଷୀ ଧାନ ବିକ୍ରିକରି ପରିବେନାହିଁ।ସେଥିପାଇଁ ଆହୁରି ଅଧିକ ୭ହଜାର ୬ଶହ କୁଇଂଟାଲ ଟାର୍ଗେଟର ଆବଶ୍ୟକତା ରହିଛି । ଏତିକି ଟାର୍ଗେଟ ମିଳିଲେ ବାକିଥିବା ୨୧୫ଜଣ ଚାଷୀ ଧାନ ଦେଇପାରିବେ ବୋଲି ସମ୍ପାଦକ ରାଜେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ଜଣାଯାଇଛି ଯେ, ଜାମଯୋଡ଼ି ସମିତିରେ ମୋଟ ୬୨୫ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧୦ଜଣ ଚାଷୀ ଧାନ ଦେଇ ସାରିଛନ୍ତି । ସମିତିକୁ ମୋଟ ୨୨ହଜାର ୧୧୫କୁଇଂଟାଲ ଟାର୍ଗେଟ ମିଳିଥିବା ବେଳେ ଚାଷୀମାନଙ୍କ ଠାରୁ ୧୯ହଜାର ୧୪୮କୁଇଂଟାଲ ଧାନ କିଣା ସରିଛି । ସମିତି ସହ ଟ୍ୟାଗ ଥିବା ୨ଟି ରାଇସମିଲ ଇତିମଧ୍ୟରେ ୧୦ହଜାର ୧୪୮ କୁଇଂଟାଲ ଧାନବସ୍ତା ଉଠାଇ ଥିବାବେଳେ ମଣ୍ଡିରେ ୮ହଜାର ୭୮୨କୁଇଂଟାଲ ଧାନବସ୍ତା ପଡ଼ି ରହିଛି । ମିଲରମାନେ ନିୟମିତ ଧାନ ଉଠାଉ ନଥିବାରୁ ଆହୁରି ୮ହଜାର କୁଇଂଟାଲ ଧାନବସ୍ତା ବର୍ଷାରେ ଭିଜୁଥିବା ଜଣାଯାଇଛି।ଶୁକ୍ରବାର ରାତିଠାରୁ ବର୍ଷା ଆରମ୍ଭ ହୋଇଛି।ଯେଉଁଥିପାଇଁ ସମିତି ସମ୍ପାଦକ ଚିନ୍ତାରେ ପଡିଯାଇଛନ୍ତି।ତେବେ ମଣ୍ଡିରେ ପଡ଼ିଥିବା ଧାନ ମିଲରମାନେ ତୁରନ୍ତ ଉଠାଇବା ଦିଗରେ ପଦକ୍ଷେପନ ନେଲେ ଧାନ ନଷ୍ଟ ହେବ। ଏଥିପାଇଁ କିଏ ଦାୟୀ ରହିବ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।କାରଣ ଧାନ ଦେଇ ଏବେ ସୁଦ୍ଧା ବହୁ ଚାଷୀ ଟଙ୍କା ପାଇପାରି ନାହାଁନ୍ତି।ତୁରନ୍ତ ମିଲର ମାନେ ଧାନ ଉଠାଇବା ଦିଗରେ ପଦକ୍ଷେପ ନେବାକୁ ସମିତିର ପରିଚାଳନା କମିଟି ସଭାପତି ଅର୍ଜୁନ ଚରଣ ନାୟକ,କର୍ମକର୍ତା ଓ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମଣ୍ଡିରେ ଗଛିତ ଥିବା ଧାନବସ୍ତା ସବୁକୁ ଉଠାଇବାକୁ ମିଲରମାନଙ୍କୁ ପରାମର୍ଶ ଦିଆଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ