ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବେଦାନ୍ତର ଜମି ଅଧିଗ୍ରହଣ ଓ ଥଇଥାନ ସମ୍ପର୍କିତ ଜନଶୁଣାଣି
Meeting on vedanta displacement
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବେଦାନ୍ତର ଜମି ଅଧିଗ୍ରହଣ ଓ ଥଇଥାନ ସମ୍ପର୍କିତ ଜନଶୁଣାଣି


ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ବେଦାନ୍ତ ଲିମିଟେଡ୍ ର ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମ୍ପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ କାଟିକେଲା ଏବଂ ଭୁର୍କାମୁଣ୍ଡା ଗ୍ରାମର ଜମି ଅଧିଗ୍ରହଣ ଜନିତ ସମସ୍ୟା ଓ ଗ୍ରାମବାସୀଙ୍କ ଦାବି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ବିଶେଷ କରି ବିସ୍ଥାପନ ପ୍ରକ୍ରିୟା ଏବଂ କମ୍ପାନୀ ପକ୍ଷରୁ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ଗ୍ରାମବାସୀ ନିଜର ମତାମତ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ପରେ କହିଥିଲେ ଯେ, ଏହି ସମସ୍ୟାର ସମାଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। କମିଟିର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ନିଯୁକ୍ତି ସମ୍ବନ୍ଧୀୟ ଦାବିଗୁଡ଼ିକୁ ଆଗାମୀ ଆର.ପି.ଡି.ଏ.ସି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ।

ଏହାସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ ହେବା ପର୍ଯ୍ୟନ୍ତ ବେଦାନ୍ତ ଲିମିଟେଡ୍ ନିଜର ସି.ଏସ.ଆର ପାଣ୍ଠି ମାଧ୍ୟମରେ ବାୟୁ ଏବଂ ଜଳ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି।

ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ସହକାରୀ ଜିଲ୍ଲାପାଳ, କାଟିକେଲା ସରପଞ୍ଚଙ୍କ ସମେତ ଉଭୟ ଗ୍ରାମର ଶତାଧିକ ଗ୍ରାମବାସୀ ଏବଂ ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande