
କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ସଖି ବଟ ମନ୍ଦିର ପରିସରରେ ଗତ ତା. ୦୫.୦୩.୨୦୨୬ ରେ ଘଟିଥିବା ଏକ କନ୍ୟା ବିବାହ ଘଟଣାକୁ କେନ୍ଦ୍ର କରି ଶିଶୁ ସୁରକ୍ଷା କମିଟି ଦଳ ଉପରେ ଦୁର୍ବ୍ୟବହାର ଏବଂ ଆକ୍ରମଣ ସମ୍ବନ୍ଧୀୟ ଘଟଣା ପ୍ରକାଶ ପାଇଛି। ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟା ଏବଂ ସମ୍ବନ୍ଧିତ ସିଡିପିଓ ମିଳିତ ଭାବେ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ କାଳୀନ କନ୍ୟାଙ୍କ ବୟସ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପରିଚୟ ପତ୍ରରେ ବୟସ ଜାଲିଆତି କରାଯାଇଥିବା ପ୍ରମାଣିତ ହୋଇଥିବା ସହ କନ୍ୟାଙ୍କ ପ୍ରକୃତ ବୟସ ୧୬ ବର୍ଷ ବୋଲି ନିଶ୍ଚିତ ହୋଇଥିଲା। ବାଲ୍ୟ ବିବାହକୁ ରୋକିବା ପାଇଁ ଟିମ୍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କନ୍ୟାଙ୍କ ମା, ମାମୁଁ ଏବଂ କିଛି ସମ୍ପର୍କୀୟ ବ୍ୟକ୍ତିମାନେ ଅସଭ୍ୟ ଭାଷା ବ୍ୟବହାର କରି ଦଳ ସଦସ୍ୟା ମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରୋଶମୂଳକ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏ ସମ୍ବନ୍ଧରେ ସମ୍ପୃକ୍ତ ଦଳ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ସ୍ୱରୂପ କନ୍ୟାଙ୍କ ମା ଓ ମାମୁଁଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବାଲ୍ୟ ବିବାହ ନିରୋଧ ଆଇନର କଡାକଡି ପାଳନ ସହ ଏପରି ଅବୈଧ କାର୍ୟ୍ୟକଳାପରୁ ଜନସାଧାରଣ ନିବୃତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ରବି