
ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି) ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ପାଞ୍ଚଟି ଗ୍ରାମ ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଅଛି I ଏହି ଶିବିରଗୁଡ଼ିକ ପାଞ୍ଚଟି ଭିନ୍ନ ଭିନ୍ନ ପଂଚାୟତ ଯଥା ତେଲେନପାଲିରେ ୧୧ ମାର୍ଚ୍ଚ, ଦଳଗାଁ ରେ ୧୩ ମାର୍ଚ୍ଚ, ତୀଲିଆରେ ୧୫ ମାର୍ଚ୍ଚ, ରେମେଣ୍ଡାରେ ୧୭ ମାର୍ଚ୍ଚ ଏବଂ କୁମାରବନ୍ଧରେ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ଶିବିରରେ ମୋଟ ୧,୫୭୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିରେ ୮୩୯ ଜଣ ପୁରୁଷ ଏବଂ ୭୩୧ ଜଣ ମହିଳା ଅନ୍ତର୍ଭୁକ୍ତ। ପରୀକ୍ଷା ପରେ ୧,୩୫୬ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ପରୀକ୍ଷା ସମୟରେ ୧୧୪ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ। ଝାରସୁଗୁଡାସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ସେମାନଙ୍କର ମାଗଣା ଅପରେସନ କରାଯାଇଥିଲା। ଚକ୍ଷୁ ପରୀକ୍ଷା, ଚଷମା ଏବଂ ମୋତିଆବିନ୍ଦୁ ଅପରେସନର ସମସ୍ତ ଖର୍ଚ୍ଚ ଓପିଜିସି ବହନ କରିଥିଲା।
ତେଲେନପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ ଶିବିର ଉଦଘାଟନ କରି ଓପିଜିସିର ନିର୍ଦ୍ଦେଶକ (ଅପରେସନ) ଅଞ୍ଜନା ରଞ୍ଜନ ଦାଶ ଏହି କାର୍ୟକ୍ରମର ଆରମ୍ଭ କରିଥିଲେ। ଏହି ଉଦଘାଟନ ଅବସରରେ ସିନିଅର ଭାଇସ ପ୍ରେସିଡେଣ୍ଟ (ଅପରେସନ) ସୁକାନ୍ତ ମହାପାତ୍ର, ଇବ ଥର୍ମାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଙ୍ଗୀତା ପଣ୍ଡା, ସିଏସଆର ଉପଦେଷ୍ଟା ପ୍ରଫୁଲ୍ଲ ଧଳ ଏବଂ ଓପିଜିସିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଚକ୍ଷୁ ପରୀକ୍ଷା ଶିବିରଗୁଡ଼ିକ କେୟାର ନେତ୍ରମ, ଭୁବନେଶ୍ୱର-ର ସହଯୋଗରେ ଆୟୋଜନ କରାଯାଇଥିଲା। ସଂସ୍ଥାର ବିଶେଷଜ୍ଞ ଚିକିତ୍ସକ ଦଳ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରି ମୋତିଆବିନ୍ଦୁ, ଦୃଷ୍ଟି ତ୍ରୁଟି ଓ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଚିହ୍ନଟ କରିଥିଲେ।
ଓପିଜିସିର ସିଏସଆର ଟିମ୍ ର ସଦସ୍ୟ ହିମାଂଶୁ ବେହେରା, ସିନିଅର ମ୍ୟାନେଜର ସିଏସଆର ତପସ ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜର ସିଏସଆର ଏବଂ ଅମର ସିଂହ, ଏକ୍ସିକ୍ୟୁଟିଭ-ସିଏସଆର ଏହି ଶିବିରଗୁଡ଼ିକର ପରିଚାଳନା କରିଥିଲେ । ପାଞ୍ଚଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କ ସହଯୋଗରେ ଶିବିରଗୁଡ଼ିକ ସୁଚାରୁ ଭାବେ ଆୟୋଜିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ