

ସମ୍ବଲପୁର,୨୧ ମାର୍ଚ୍ଚ(ହି.ସ.) – ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିର୍ମାଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶନିବାର ସ୍ୱାଧୀନତା ସଗ୍ରାମୀ ତଥା ବିଶଷ୍ଟ ବୁଦ୍ଧିଜିବୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ୧୨୩ ତମ ରାଜ୍ୟସ୍ତରୀୟ ଜୟନ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ମାଲ୍ୟ ସାହିତ୍ୟ ସଂସଦର ସଭାପତି ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କୁ ଯେତିକି ସମ୍ମାନ ଦିଆଯିବା କଥା ତାହା ବର୍ତମାନ ପର୍ଯ୍ୟନ୍ତ ଦିଆଯାଇ ପାରିନଥିବା ମତ ପ୍ରକାଶ ପାଇଥିଲା। ଏପରିକି ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଏବଂ ସାହିତ୍ୟ କୃତି ଉପରେ ମଧ୍ୟ ଯଥେଷ୍ଟ ଆଲୋଚନା ହୋଇ ପାରିନାହିଁ। ସେଥିପାଇଁ ପ୍ରଥମେ ପଣ୍ଡିିତ ଲକ୍ଷ୍ମୀ ନାରାୟଣଙ୍କର ଜନ୍ମମାଟି ପରମାଣପୁରରେ ତାଙ୍କର ସ୍ମୃତିରକ୍ଷା କରାଯିବାର ଆବଶ୍ୟକତା ରହିଥିବା ବକ୍ତାମାନେ ମତ ଦେଇଥିଲେ। ପଣ୍ଡିତ ଲକ୍ଷ୍ମୀ ନାରାୟଣ କେବଳ ଓଡିଶା ନୁହେଁ ସାରା ଭାରତର ଜଣେ ପ୍ରଖ୍ୟାତ ଜ୍ଞାନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ। ତାଙ୍କ ରଚିତ ଗୀତା ଓର କୁରାନ ଦେଶର ଧାର୍ମିକ ସଦଭାବନାର ଏକ ଉଦାହରଣ ବୋଲି ବରିଷ୍ଠ ଆକାଶବାଣୀ ଗିତିକାର ବିଭୁତି ଭୂଷଣ ନାଥ କହିଥିଲେ। ସେ ସ୍ୱାଧୀନତା ସଂଗ୍ରାମରେ କାରାଦଣ୍ଡ ସମୟକୁ ପଠନ ଏବଂ ସାହିତ୍ୟ ସର୍ଜନାରେ ଉପଯୋଗ କରିଥିବା ଶ୍ରୀ ନାଥ କହିଥିଲେ। ଏହି ଅବସରରେ ଆହୁତ କାର୍ଯ୍ଯକ୍ରମରେ ପଣ୍ଡିତ ଲକ୍ଷ୍ମୀନାରାୟଣ ଯୁବକ ସଂଘର ସଭାପତି ସବୀର ରଞ୍ଜନ ନାଥ ରାଜ୍ୟସ୍ତରୀୟ ଜୟନ୍ତୀ ଆୟୋଜନ ଉପରେ ଆଲୋକପାତ କରିଥିଲେ। ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପରମାଣପୁର ସ୍ଥିତ ପୈତୃକ ବାସଭବନ ଭାଙ୍ଗିଯାଇ ମାଟିରେ ମିଶି ସାରିଥିବାରୁ ସେଠାରେ ତାଙ୍କର ସ୍ମୃତିକେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏହାସହ ପଣ୍ଡିିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସହ ପରମାଣପୁରର ସମ୍ପର୍କ, ସ୍ୱାଧିନତା ସଂଗ୍ରାମ ଏବଂ ସାହିତ୍ୟରେ ତାଙ୍କର ଯୋଗଦାନକୁ ନେଇ ନିର୍ମାଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ତଥ୍ୟ ପ୍ରକାଶନ ଉପରେ ଅଂଚଳର କବି ଏବଂ ଲେଖକ ମାନେ ମତ ଦେଇଥିଲେ। ଆସନ୍ତା ଏପ୍ରିଲ ୧୧ ତାରିଖରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପରମାଣପୁରରେ ରାଜ୍ୟସ୍ତରୀୟ ଜୟନ୍ତୀ ଆୟୋଜନ କରାଯାଇ ଅଂଚଳର କବି କଳାକାର ଏବଂ ସାହିତ୍ୟକ ମାନଙ୍କୁ ଏକଜୁଟ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜଲକ୍ଷ୍ମୀ ମିଶ୍ର, ନିରୁପମା ନାଥ, ତ୍ରୀଲୋଚନ ସାହୁ, କାହ୍ନୁଚରଣ ନାଥ, ସନଥ କୁମାର ବାଗ, ଲଲିତ ମୋହନ ପ୍ରଧାନ, ମହେଶ୍ୱର ନାୟକ, ରାହାସ ବିହାରୀ ନାଥ, କୈଲାଶ ବାରିକ, ବିଭୂତି ଭୁଷଣ ନାଥ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ନେଇ ମତାମତ ଉପସ୍ଥାପନ କରିଥିଲେ । ଶେଷର ନିର୍ମାଲ୍ଯର ସମ୍ପାଦକ ପ୍ରଦ୍ୟୁମ୍ନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ