ଆଦର୍ଶ ଶିକ୍ଷକ ସ୍ୱର୍ଗତ ଶମ୍ଭୁନାଥ ସାମଲ ଓ ଶାନ୍ତିଲତା ନାୟକଙ୍କ ପ୍ରତିମୂର୍ତି ଅନାବରଣ
ଭଦ୍ରକ, ୨୧ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡିପଦା ପଂଚାୟତ ଅନ୍ତର୍ଗତ କୋରକଦା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଶମ୍ଭୁନାଥ ସାମଲ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ଶାନ୍ତିଲତା ନାୟକଙ୍କ ଆବକ୍ଷ ପ୍ରତିମୂର୍ତି ଅନାବରଣ ଓ ସ୍ମୃତିଚାରଣ ସଭା ଶନିବାର ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇ
SAMBHUNATH SAMAL & SHANTILATA NAYAK PRATIMURTI ANABARAN


ଭଦ୍ରକ, ୨୧ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡିପଦା ପଂଚାୟତ ଅନ୍ତର୍ଗତ କୋରକଦା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଶମ୍ଭୁନାଥ ସାମଲ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ଶାନ୍ତିଲତା ନାୟକଙ୍କ ଆବକ୍ଷ ପ୍ରତିମୂର୍ତି ଅନାବରଣ ଓ ସ୍ମୃତିଚାରଣ ସଭା ଶନିବାର ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଅନାବରଣ ସମାରୋହରେ ହେମେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ସଭାକୁ ହେମେନ୍ଦ୍ରନାଥ ମହାନ୍ତି ସଂଚାଳନ କରିଥିଲେ। ପ୍ରାରମ୍ଭିକ ସୂଚନା ପୁଅ ଓ ଆଇନଜୀବୀ ଦେବାଶିଷ ସାମଲ ପ୍ରଦାନ କରିଥିଲେ। ସେ ତାଙ୍କ ପିତା ସ୍ୱର୍ଗତ ଶମ୍ଭୁନାଥ ସାମଲଙ୍କୁ ଏକ ନିଷ୍ଠାବାନ ଶିକ୍ଷକ ଓ ସମାଜପ୍ରେମୀ ବ୍ୟକ୍ତିତ୍ୱ ଭାବେ ସ୍ମରଣ କରିଥିଲେ। ସ୍ୱର୍ଗତ ଶମ୍ଭୁନାଥ ସାମଲ ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବାବେଳେ ୧୯୮୨ ମସିହାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ସେ ଜୀବନଭରି ଶିକ୍ଷାକ୍ଷେତ୍ରରେ ନିଷ୍ଠାର ସହିତ ସେବା କରିଥିଲେ ଏବଂ ସରଳ ଜୀବନ ଓ ଉଚ୍ଚ ଆଦର୍ଶ ପାଇଁ ଅଂଚଳରେ ସମ୍ମାନିତ ଥିଲେ। ସେହିପରି ସ୍ୱର୍ଗତା ଶାନ୍ତିଲତା ନାୟକ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିବାବେଳେ ୧୯୬୭ ମସିହାରେ ପରଲୋକଗମନ କରିଥିଲେ। ସମାଜପ୍ରତି ତାଙ୍କର ସେବାଭାବ ଓ ସରଳ ଚରିତ୍ର ପାଇଁ ସେ ମଧ୍ୟ ସମସ୍ତଙ୍କ ମନରେ ସ୍ମରଣୀୟ ହୋଇରହିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ପ୍ରତିମୂର୍ତି ଅନାବରଣ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଡ. ରାମଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ ଏପରି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତି ସଂରକ୍ଷଣ ନୂତନ ପିଢିକୁ ପ୍ରେରଣା ଦେଇଥାଏ। ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ସାମଲ ଦମ୍ପତିଙ୍କ ଆଦର୍ଶମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ରାଜକିଶୋର ପାଢ଼ୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ମନୋରଞ୍ଜନ ମହାନ୍ତି, କିଶୋର ସାମଲ, ରବୀନ୍ଦ୍ର ବେହୁରିଆ, ହୃଦାନନ୍ଦ ମହାନ୍ତି, ଅବନୀ ପ୍ରଧାନ, ରବିନାରାୟଣ ନନ୍ଦ, ନିତ୍ୟାନନ୍ଦ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ଅଭିଷେକ ରାଉତ, ପ୍ରତାପ ସାମଲ, ଅରବିନ୍ଦ ପତି ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ଶେଷରେ ବିଶ୍ୱକେତନ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande