
ଜୟପୁର,୨୧ ମାର୍ଚ୍ଚ(ହି.ସ.) – ଜୟପୁର ସ୍ଥିତ ଏସ୍ଆର୍ ମଲ୍ର କନଭେନସନ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡ. ବାସୁଦେବ ସୁନାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିତା ହେଉଛି କରୁଣାର ପ୍ରତିବେଦନ, ଆଉ କବି ବଳରାମ ପୂଜାରୀଙ୍କ କବିତା ବଂଚିତ ବର୍ଗର କରୁଣାର କଥା କହୁଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗବେଷକ ଡ. ପରମେଶ୍ୱର ମୁଣ୍ଡ ଓ କବି ଡ ପ୍ରୀତିଧାରା ସାମଲ ଯୋଗଦେଇ ବଳରାମ ପୂଜାରୀଙ୍କ ସାହିତ୍ୟ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତିତ୍ୱ କରିଥିଲେ କବି ତଥା ପ୍ରଶାସକ ଧର୍ମରାଜ ମାଝୀ। ଏହି ଅବସରରେ ବିଶିଷ୍ଟ କବି ଚକ୍ରପାଣି ପରିଚ୍ଛାଙ୍କୁ ପ୍ରଥମ 'କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ - ୨୦୨୬' ପ୍ରଦାନ କରାଯାଇଥିଲା। ସମ୍ମାନ ବାବଦରେ ମାନପତ୍ର, ଉପଢୌକନ ଓ ଅର୍ଥରାଶି ପ୍ରଦାନ କରାଗଲା। ଏହି ଅବସରରେ କବି ବଳରାମ ପୂଜାରୀଙ୍କୁ ସମର୍ପିତ କରି 'କବିତା କୋରାପୁଟ' ନାମରେ ଏକ ସ୍ୱତନ୍ତ୍ର କବି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସାହିତ୍ୟିକ ହରିହର କରସୂଧା ପଟ୍ଟନାୟକ ସଭାପତିତ୍ୱ, ଡ଼. ମୋନରଞ୍ଜନ ପ୍ରଧାନ ସମ୍ମାନୀୟ ଅତିଥି ଭାବେ ପ୍ରଥମ କବିତା ପାଠକୁ ପରିଚାଳନା କରିଥିଲେ। ରବି ଶତପଥୀ, ମାଧୁରୀ ପଣ୍ଡା, ଏମ୍. ହିମାଂଶୁ ଆଚାରୀ, ଅଶୋକ ମହାରଣା କବିତାପାଠ କରିଥିବା ବେଳେ ଓମପ୍ରକାଶ ମିଶ୍ର ସମୀକ୍ଷା କରିଥିଲେ। ପୁଷ୍ପାଞ୍ଜଳି ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସଂଯୋଜନାରେ କାର୍ଯ୍ୟକ୍ରମ ହେଇଥିବା ବେଳେ ସବ୍ୟସାଚୀ ବିଷୋୟୀ, ଭଗବାନ ସାହୁ, ରୁଦ୍ରାଭିଷେକ ପୂଜାରୀ ପ୍ରମୁଖ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି