
କେନ୍ଦୁଝର, 21 ମାର୍ଚ୍ଚ (ହି.ସ.)
ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ 'ଜନ ଶୁଣାଣି' କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖ (ସୋମବାର) ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା ଦରବାର ହଲ୍ଠାରେ ଏହି ବିଶେଷ ଶିବିର ଅନୁଷ୍ଠିତ ହେବ।ଏହି ଶିବିରରେ କେନ୍ଦୁଝର ଏବଂ ଦେବଗଡ଼ ଜିଲ୍ଲାର ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିପାରିବେ। ବିଶେଷ କରି ଘରୋଇ ହିଂସା, ନିର୍ଯାତନା, ଯୌତୁକ ଜନିତ ସମସ୍ୟା, କର୍ମକ୍ଷେତ୍ରରେ ହେଉଥିବା ହଇରାଣ, ସାଇବର ଅପରାଧ ଏବଂ ମହିଳା ଅଧିକାର ଉଲ୍ଲଂଘନ ସମ୍ପର୍କିତ ଯେକୌଣସି ଅଭିଯୋଗର ଏଠାରେ ଶୁଣାଣି କରାଯିବ।ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଯେଉଁ ମହିଳାମାନେ ପୂର୍ବରୁ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ସମାଧାନ ଚାହୁଁଛନ୍ତି, ସେମାନେ ଏହି ଶିବିରରେ ଉପସ୍ଥିତ ରହି ନିଜର ଅଭିଯୋଗ ଉପସ୍ଥାପନ କରିପାରିବେ। ଏହା ବ୍ୟତୀତ, ଯେଉଁମାନେ ନୂତନ ଭାବେ ଅଭିଯୋଗ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଶିବିରରେ ଉପସ୍ଥିତ ରହି ଦରଖାସ୍ତ ପ୍ରଦାନ କରିବାକୁ ରାଜ୍ୟ ମହିଳା ଆୟୋଗଙ୍କ ଆବାହକ ସଚିବ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA