



ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲାରେ ଜଙ୍ଗଲଗୁଡିକର ପ୍ରମୁଖ ଭୂମିକା ରହିଛି ଓ ଜିଲ୍ଲାର ଲୋକଙ୍କ ଅର୍ଥନୀତି ସହିତ ଏହାର ନୀବିଡ ସମ୍ପର୍କ ରହିଆସିଛି । ଏବେ ବନବିଭାଗ ଅନେକଗୁଡିଏ ଯୋଜନାରେ ଲୋକଙ୍କୁ ସାମିଲ ଅର୍ଥନୀତିକୁ ଆହୁରି ସୁଦୃଢ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ଆଜି ବଲାଙ୍ଗୀର ବନବିଭାଗ ପକ୍ଷରୁ ଆୟୋଜିତ ବିଶ୍ଵ ବନଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଭବାନିପାଟଣାର ସର୍କଲର ଆରସିସିଏଫ ସନ୍ତୋଷ ଯୋଷି ମତବ୍ୟକ୍ତ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଜଙ୍ଗଲର ଗଛ ଓ ବନ୍ୟଜନ୍ତୁ ଉଭୟ ପରିବେଶ ଲାଗି ଉପାଦେୟ । ସ୍ଥାନୀୟ ଲୋକେ ଜଙ୍ଗଲରୁ କେନ୍ଦୁପତ୍ର, ମହୁଲ, ଚାର, ବାହାଡା, ସାହାଡା, ଝୁଣା ଇତ୍ୟାଦି ଜଙ୍ଗଲଜାତ ଦ୍ରବ୍ୟସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଏବେ ରାଜ୍ୟ ସରକାର ଏଭଳି ବୃକ୍ଷରୋପଣକୁ ଗୁରୁତ୍ୱ ଦେଉଛନ୍ତି ଓ ଚାରା ସୃଷ୍ଟିକରି ବଣ୍ଟନ କରାଯାଉଛି । ଜଙ୍ଗଲ ସୁରକ୍ଷିତ ରହିଲେ ପରିବେଶ ସୁରକ୍ଷିତ ରହିବ । ତେଣୁ ଜଙ୍ଗଲର ସୁରକ୍ଷା ସାଙ୍ଗକୁ ବନ୍ୟଜନ୍ତୁମାନଙ୍କର ସୁରକ୍ଷାର ଆବଶ୍ୟକତା ରହିଛି । ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କର ଭୂମିକା ଅଧିକ ରହିଛି ବୋଲି ଶ୍ରୀ ଯୋଷୀ କହିଥିଲେ । ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ସଭାପତିତ୍ୱ ଓ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଶ୍ରୀମତୀ ବବିତା ସିଂ ଓ ମୁଖ୍ୟବକ୍ତା ଭାବରେ ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନୀଧି ଝାଙ୍କର ଯୋଗଦେଇଥିଲେ । ବବିତା ସିଂ ତାଙ୍କ ବକ୍ତବ୍ୟରେ ଟୁରିଜମ ସେଣ୍ଟରଗୁଡିକୁ ପଲିଥିନ ମୁକ୍ତ ତଥା ପ୍ରଦୂଷଣମୁକ୍ତ ରଖିବାକୁ ଆହ୍ୱାନ ଦେଇଥିଲେ । ଠିକ୍ ସେହିପରି ମୁଖ୍ୟବକ୍ତା ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ଜଙ୍ଗଲର କେବଳ ଗଛନୁହେଁ ବନ୍ୟଜନ୍ତୁ, କିଟପତଙ୍ଗଙ୍କର ମଧ୍ୟ ପରିବେଶ ସୁରକ୍ଷାରେ ଆବଶ୍ୟକତା ରହିଛି ବୋଲି କହିଥିଲେ । ଭାରତୀୟ ସଂସ୍କୃତିରେ କାହିଁ କେଉଁ ଆବାହମାନ କାଳରୁ ଜଙ୍ଗଲ ସହିତ ମଣିଷ ସମାଜର ସମ୍ପର୍କ ରହିଆସିଛି । ଆଧ୍ୟାତ୍ମିକତା ଓ ସମାଜିକ ସହାବସ୍ଥାନ ଆମର ମୂଳଧର୍ମ ହୋଇ ରହିଆସିଛି । ଜଙ୍ଗଲ ରହିଲେ ପରିବେଶ ସୁରକ୍ଷା ରହିବ ଓ ଜୀବଜଗତ ବଞ୍ଚିପାରିବ । ପରିବେଶ ପାଇଁ ବେଙ୍ଗ, ବାଦୁଡି, ଘରଚଟିଆ ଭଳି ଜୀବ ଓ କିଟପତଙ୍ଗଙ୍କର କିଭଳି ଭୂମୀକା ରହିଛି ସେନେଇ ଉପସ୍ଥିତ ଲୋକଙ୍କୁ ଶ୍ରୀ ଝାଙ୍କର ବୁଝାଇଥିଲେ । ପ୍ରାରମ୍ଭରେ ଏସିଏଫ ମାନସ ରଂଜନ ବେହେରା ଅତିଥିଗଣଙ୍କୁ ସ୍ୱାଗତକରି ଆଜିର ବନଦିବସର ଉଦ୍ଦେଶ୍ୟ ଓ ଥିମ “ଜଙ୍ଗଲ ଓ ଅର୍ଥନୀତି” ବିଷୟରେ କହିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବନକର୍ମଚାରୀ ଚିନ୍ମୟ ପଧାନ ଓ ଟିଟିଲାଗଡ ଅଞ୍ଚଳର ଜଣେ ଭିଏସଏସ ସଭାପତି ଜଙ୍ଗଲ ସୁରକ୍ଷାର ଦିଗ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉପଖଣ୍ଡ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସ୍କୁଲ ଓ ବନସଂରକ୍ଷଣ ସମିତିଗୁଡିକୁ ପୁରସ୍କୃତ କରାଯାଇଥିଲା । ଶେଷରେ ବଙ୍ଗୋମୁଣ୍ଡା ରେଞ୍ଜଅଫିସର ପଦ୍ମନାଭ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏସିଏଫ ସୁମନ ମାଝୀ, ବଲାଙ୍ଗୀର ରେଞ୍ଜଅଫିସର ନବୀନ କୁମାର ପଣ୍ଡା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା, ବନ କର୍ମଚାରୀ ଓ ସାମ୍ବାଦିକଗଣ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ