
ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ ଆଜି ସ୍ଥାନୀୟ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ 'ବିଶ୍ୱ ବନ ଦିବସ-୨୦୨୬' ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ପରିବେଶପ୍ରେମୀ ଯୋଗ ଦେଇଥିଲେ।
ଏହି ସମାରୋହରେ ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସାଧାରଣ ଜନତାଙ୍କ ଅଂଶଗ୍ରହଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରହ୍ଲାଦ ନାୟକ, ଜିଲ୍ଲା ପରିବେଶ ସମିତିର ସଦସ୍ୟ ତ୍ରିନାଥ ଗୌଲ, ନରେଶ ନାୟକ, ସଚିନ୍ଦ୍ର ପଟେଲ, ବେଣୁଧର ଚୌଧୁରୀ ଏବଂ ଗୋବିନ୍ଦ ସକୁନିଆ ପ୍ରମୁଖ ଉପସ୍ଥିତ ରହି ପରିବେଶ ସନ୍ତୁଳନ ରକ୍ଷା ଉପରେ ଆଲୋକପାତ କରିଥିଲେ। ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପ୍ରଧାନ ଏବଂ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
୨୦୨୬ ବର୍ଷରେ ଉଲ୍ଲେଖନୀୟ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିକ୍ତିମାଲ ଗ୍ରାମ ପଞ୍ଚାୟତକୁ ‘ସର୍ବଶ୍ରେଷ୍ଠ ପଞ୍ଚାୟତ’ ଏବଂ ବାବୁଛିପିଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ‘ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ଭାବେ ପୁରସ୍କୃତ କରାଯାଇଥିଲା। ଏହି ଉପଲକ୍ଷେ ନିକ୍ତିମାଲ ପଞ୍ଚାୟତର ସରପଞ୍ଚ ଏବଂ ବାବୁଛିପିଡ଼ିହି ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ