
ପୁରୀ, ୨୧ ମାର୍ଚ୍ଚ (ହି.ସ.)- ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡିର ସ୍ବର୍ଗତ ପଣ୍ଡିତ ମହେଶ୍ବର ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଗ୍ରାମର ମାନ୍ଯଗଣ୍ଯ ବ୍ଯକ୍ତି ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ବର୍ଗତ ପଣ୍ଡିତ ମହେଶ୍ବର ଦାଶ ଜଣେ ମେଳାପି, ନିଷ୍ଠାବାନ, ସରଳ ହୃଦୟ ଓ ପରୋପକାରୀ ବ୍ଯକ୍ତିତ୍ବ ଥିଲେ । ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଅସ୍ତରଙ୍ଗ ନିକଟସ୍ଥ ପାଟଳଦା ହାଇସ୍କୁଲରେ ସଂସ୍କୃତ ପଣ୍ଡିତ ଭାବେ ଶିକ୍ଷାଦାନ କରି ଆଖପାଖ ଅଞ୍ଚଳର ନିଃସ୍ବାର୍ଥପର ସେବା କରି ଲୋକଙ୍କ ପ୍ରିୟଭାଜନ ହୋଇଥିଲେ । ତାଙ୍କର ସ୍ନେହ ଶ୍ରଦ୍ଧା ତ୍ଯାଗ, କର୍ତ୍ତବ୍ୟନିଷ୍ଠା, ଧର୍ଯ୍ୟ ଓ ଉଦାର ଭାବ ଆମ ହୃଦୟରେ ସବୁଦିନ ପାଇଁ ରହିଥିବ । ତାଙ୍କର ଈଶ୍ବର ବିଶ୍ବାସ ଓ ଆଶୀର୍ବାଦ ପ୍ରେରଣା ଚିର ସ୍ମରଣୀୟ ହୋଇ ରହିଥିବ । ଆପଣ ଆମ୍ଭମାନଙ୍କୁ ଛାଡି ଯିବା ଏକବର୍ଷ ବିତିଗଲାଣି । ଆପଣଙ୍କ ବିୟୋଗ ଆମ ପରିବାରର ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ପୁତ୍ର ସିଦ୍ଧାର୍ଥ ଦାଶ ଓ ଶ୍ରୀପତି ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ସ୍ବର୍ଗତ ପଣ୍ଡିତଙ୍କ ବଡଭାଇ ନିଳାମ୍ବର ଦାଶ ଓ ଦିଗାମ୍ବର ଦାଶ, ସାନଭାଇ ପଣ୍ଡିତ ବିଶ୍ବମ୍ଭର ଦାଶ, ଗ୍ରାମ ପ୍ରଥମ ଖଣ୍ଡିର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ, ସହ ସମ୍ପାଦକ ପବିତ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ସମେତ ଆଖପାଖ ଗ୍ରାମର ଲୋକମାନେ ଉପସ୍ଥିତ ରହି ସ୍ବର୍ଗତ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କର ଅମର ଆତ୍ମାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଶାନ୍ତିରେ ରଖିଥାନ୍ତୁ ବୋଲି ଘରର ଝିଅ ଜ୍ଵାଇଁ, ପୁତୁରା ବୋହୁ, ପୁତୁରା, ଝିଆରୀ, ନାତି ନାତୁଣୀଙ୍କ ସମେତ ଆତ୍ମୀୟସ୍ବଜନ, ବନ୍ଧୁବାନ୍ଧବ ଓ ପରିବାରବର୍ଗ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗ୍ରାମ କ୍ଲବର ଯୁବ ସଦସ୍ଯ ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ