ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ବିଶେଷ ମନିଟରଙ୍କ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ, ମାନବାଧିକାର ଶିକ୍ଷା ଉପରେ ଗୁରୁତ୍ୱ
ଜୟପୁର,୨୨ ମାର୍ଚ୍ଚ(ହି.ସ.) – ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କିତ ସଚେତନତା ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଏନଏଚଆରସି)ର ବିଶେଷ ମନିଟର ପ୍ରଫେସର କାନେହୟା ତ୍ରିପାଠୀ ରବିବାର ୨୨ ମାର୍ଚ ୨୦୨୬ରେ ଓଡିଶା କେନ୍ଦ୍ରୀୟ ବି
ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ବିଶେଷ ମନିଟରଙ୍କ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ, ମାନବାଧିକାର ଶିକ୍ଷା ଉପରେ ଗୁରୁତ୍ଵ


ଜୟପୁର,୨୨ ମାର୍ଚ୍ଚ(ହି.ସ.) – ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କିତ ସଚେତନତା ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଏନଏଚଆରସି)ର ବିଶେଷ ମନିଟର ପ୍ରଫେସର କାନେହୟା ତ୍ରିପାଠୀ ରବିବାର ୨୨ ମାର୍ଚ ୨୦୨୬ରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରିଦର୍ଶନ କରିଥିଲେ।

ଏହି ଅବସରରେ ପ୍ରଫେସର ତ୍ରିପାଠୀ, କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, କୁଳସଚିବ ଡ଼. ରାକେଶ କୁମାର ଲେଙ୍କା, ଅର୍ଥ ଅଧିକାରୀ ଶ୍ରୀ ଦୁର୍ୟୋଧନ ସେଠୀ, ଆଂଟି-ର୍ୟାଗିଂ କମିଟି ଅଧ୍ୟକ୍ଷ ଡ଼. ରଥୀକାନ୍ତ କୁମ୍ଭାର, ଡିଏସଡବ୍ଲ୍ୟୁ ଡ଼. ରମେନ୍ଦ୍ର କୁମାର ପାଢୀ, ମୁଖ୍ୟ ୱାର୍ଡେନ ଡ଼. ନିର୍ଝରିଣୀ ତ୍ରିପାଠୀ, ଆଇସିସି ପ୍ରେସାଇଡିଂ ଅଫିସର ଡ଼. ମିନତି ସାହୁ ଓ ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇଙ୍କ ସମେତ ପ୍ରଫେସର, ବିଭାଗମୁଖ୍ୟ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଫେସର ତ୍ରିପାଠୀ ମାନବାଧିକାର ଓ ମାନବୀୟ ମର୍ଯ୍ୟାଦାର ଅବିଚ୍ଛେଦ୍ୟ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ କହିଥିଲେ, “ବ୍ୟକ୍ତିର ପରିଚୟ, ମର୍ଯ୍ୟାଦା ଓ ଅଧିକାର ମାନବାଧିକାର ସହ ଗଭୀର ଭାବେ ଜଡିତ, ଏହି ସଚେତନତା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସମସ୍ତ ହିତାଧିକାରୀଙ୍କ ନିକଟକୁ ପହଂଚିବା ଆବଶ୍ୟକ।” ସେ ଆହୁରି କହିଥିଲେ, “ଦେଶର ସମଗ୍ର ଉନ୍ନତି ପାଇଁ ମହିଳା ଓ ଦୁର୍ବଳ ବର୍ଗ ପ୍ରତି ଆମର ମନୋଭାବର ପରିବର୍ତନ ଆବଶ୍ୟକ।”

ଶିକ୍ଷାନୁଷ୍ଠାନର ଭୂମିକା ଉଲ୍ଲେଖ କରି ସେ କହିଥିଲେ, “ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏହି ଅଂଚଳରୁ ମାନବାଧିକାର ଶିକ୍ଷାକୁ ପ୍ରସାର କରିବାରେ ଏକ ମୁଖ୍ୟ ଭୂମିକା ନିଭାଇପାରିବ।” ସେ ମାନବାଧିକାର କେନ୍ଦ୍ର ସ୍ଥାପନ, ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ, ବହୁ-ଶାଖାଭିତିକ କୋର୍ସ, ମାନବାଧିକାର କ୍ଲବ ଗଠନ ସହିତ ଜର୍ନାଲ, ସେମିନାର, ସମ୍ମିଳନୀ ଓ କାର୍ଯ୍ୟଶାଳା ଆୟୋଜନ ପାଇଁ ପ୍ରସ୍ତାବ ରଖିଥିଲେ।

ବିଭାଜନମୂଳକ ଧାରଣାକୁ ନିନ୍ଦା କରି ପ୍ରୋଫେସର ତ୍ରିପାଠୀ କହିଥିଲେ, “ଆମେ ‘ସାଧୁବାଦ’କୁ ଅଙ୍ଗୀକାର କରିବା ଉଚିତ, ଯାହା କରୁଣା ଓ ପରସ୍ପର ସମ୍ମାନ ମାଧ୍ୟମରେ ମାନବୀୟ ମୂଲ୍ୟବୋଧ ଓ ଅଧିକାରକୁ ପ୍ରଚାର କରେ।” ସେ ଆହୁରି କହିଥିଲେ, “ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଅଧିକାର ସୁରକ୍ଷା କରିବାର ଅଧିକାର ଅଛି, କିନ୍ତୁ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଓ ସୁରକ୍ଷା କରିବା ସମାନ ଭାବେ ଦରକାର।”

ଆଲୋଚନା ସମୟରେ ଶିକ୍ଷକମାନେ ଶିକ୍ଷା ପରିବେଶରେ ମାନବାଧିକାର ସମ୍ପର୍କିତ କିଛି ସମସ୍ୟା ଉଠାଇଥିଲେ। ଏହାର ପ୍ରତିଉତରରେ ପ୍ରଫେସର ତ୍ରିପାଠୀ ସମସ୍ତ ସମସ୍ୟାକୁ ରଚନାତ୍ମକ ଭାବେ ସମାଧାନ କରି ସଂସ୍ଥାଗତ ଉନ୍ନତିକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ଶେଷରେ କୁଳପତି ପ୍ରଫେସର ପଣ୍ଡା ଘୋଷଣା କରିଥିଲେ ଯେ ବିଶ୍ୱବିଦ୍ୟାଳୟ ମାନବାଧିକାର ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ସେ କହିଥିଲେ, “ଆସନ୍ତା ବର୍ଷ ମଧ୍ୟରେ ମାନବାଧିକାର କେନ୍ଦ୍ର ସ୍ଥାପନ କରିବା ସହ ଏହି କ୍ଷେତ୍ରରେ ଡିଗ୍ରୀ, ଡିପ୍ଲୋମା ଓ ସର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରାଯିବ। ସେହିପରି ସମ୍ମିଳନୀ, ସେମିନାର ଓ ଏକ ନିର୍ଦ୍ଦିଷ୍ଟ ଜର୍ନାଲ ମଧ୍ୟ ଆରମ୍ଭ କରାଯିବ।”

ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣାଇଛନ୍ତି ଯେ ପରିଦର୍ଶନ ସମୟରେ ପ୍ରଫେସର ତ୍ରିପାଠୀ ଛାତ୍ରାବାସରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଶୁଣିଥିଲେ। ସେ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଛାତ୍ରଛାତ୍ରୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରିଥିଲେ କରିଥିଲେ, ଯାହା ଫଳରେ କ୍ୟାମ୍ପସରେ ଏକ ସୁରକ୍ଷିତ ଓ ସମାନ୍ତାମୂଳକ ପରିବେଶ ନିଶ୍ଚିତ ହେବ।

କାର୍ଯ୍ୟକ୍ରମର ଆରମ୍ଭରେ ଡ଼. ରମେନ୍ଦ୍ର କୁମାର ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଡ଼. ନିର୍ଝରିଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିଦର୍ଶନର ସମନ୍ୱୟ ଶ୍ରୀ ଦୁର୍ୟୋଧନ ସେଠୀ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande