୨ ବର୍ଷ ହେଲା ଆରପିଡିଏସି ବୈଠକ ନାହିଁ : ସମସ୍ୟାରେ ବିସ୍ଥାପିତ, ଜିଲ୍ଲାରେ ବଢ଼ୁଛି ଅସନ୍ତୋଷ
ଝାରସୁଗୁଡା, ୨୩ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ବର୍ଷ ଧରି ପୁନର୍ବାସ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିକାଶ ପରାମର୍ଶଦାତା ସମିତି (ଆରପିଡିଏସି) ବୈଠକ ଆୟୋଜନ ହୋଇନଥିବାରୁ ବିସ୍ଥାପିତ ପରିବାରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ଗତ ୨୫ ବର୍ଷ ଧରି ଅନେକ
୨ ବର୍ଷ ହେଲା ଆରପିଡିଏସି ବୈଠକ ନାହିଁ : ସମସ୍ୟାରେ ବିସ୍ଥାପିତ, ଜିଲ୍ଲାରେ ବଢ଼ୁଛି ଅସନ୍ତୋଷ


ଝାରସୁଗୁଡା, ୨୩ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ବର୍ଷ ଧରି ପୁନର୍ବାସ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିକାଶ ପରାମର୍ଶଦାତା ସମିତି (ଆରପିଡିଏସି) ବୈଠକ ଆୟୋଜନ ହୋଇନଥିବାରୁ ବିସ୍ଥାପିତ ପରିବାରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ଗତ ୨୫ ବର୍ଷ ଧରି ଅନେକ ଛୋଟ ବଡ଼ କମ୍ପାନୀ ସ୍ଥାପିତ ହେବା ଫଳରେ ଶତାଧିକ ପରିବାର ନିଜ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଛନ୍ତି। କିଛି ଅଞ୍ଚଳରେ ଏହି ପ୍ରକ୍ରିୟା ଏବେ ମଧ୍ୟ ଚାଲିଛି। ରାଜ୍ୟ ସରକାରଙ୍କ ପୁନର୍ବାସ ଓ ସ୍ଥାନାନ୍ତରଣ ନୀତି ଅନୁଯାୟୀ, ପ୍ରତି ତିନି ମାସରେ ଥରେ ଆରପିଡିଏସି ବୈଠକ ହେବା ଆବଶ୍ୟକ। ଏହି ବୈଠକରେ ବିସ୍ଥାପିତଙ୍କ ଅର୍ଥିକ ସହାୟତା, ନିଯୁକ୍ତି ସୁଯୋଗ, ପୁନର୍ବାସ କଲୋନୀରେ ମୌଳିକ ସୁବିଧା ଓ ସିଏସଆର ପାଣ୍ଠି ବ୍ୟବହାର ନେଇ ସମୀକ୍ଷା କରାଯାଏ। ତଥାପି ଜାନୁଆରୀ ୨୦୨୪ ଠାରୁ ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ବୈଠକ ହୋଇନଥିବା ଅଭିଯୋଗ ହେଉଛି।

ଅନ୍ୟପଟେ, ସମ୍ବଲପୁରରେ ଚଳିତ ବର୍ଷ ଜାନୁଆରୀରେ ଏକ କମ୍ପାନୀ ସମ୍ବନ୍ଧୀୟ ଆରପିଡିଏସି ବୈଠକ ହୋଇଥିବା ବେଳେ, ଝାରସୁଗୁଡାର ବିଭିନ୍ନ ଅଞ୍ଚଳର ବିସ୍ଥାପିତଙ୍କ ସମସ୍ୟା ଅବହେଳିତ ରହିଛି ବୋଲି ଅଭିଯୋଗ ଉଠୁଛି। ଏହା ଫଳରେ ପାନୀୟଜଳ, ବିଦ୍ୟୁତ, ରାସ୍ତାଘାଟ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ଯୋଗାଣ ନେଇ ସନ୍ଦେହ ସୃଷ୍ଟି ହେଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ବିସ୍ଥାପିତ ପ୍ରତିନିଧିମାନେ ତୁରନ୍ତ ଆରପିଡିସି ବୈଠକ ଡାକିବାକୁ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ବୈଠକ ହେଲେ ବିସ୍ଥାପିତଙ୍କ ସମସ୍ୟାର ସଠିକ୍ ମନିଟରିଂ ଓ ସମାଧାନ ସମ୍ଭବ।

ଏନେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶୀଘ୍ର ଆରପିଡିଏସି ବୈଠକ ଆୟୋଜନ କରାଯିବ। ବିଭିନ୍ନ ସମୟରେ କମ୍ପାନୀ ସମ୍ବନ୍ଧୀୟ ଅଭିଯୋଗ ଆସୁଥିବା ସହ ତାହାର ସମାଧାନ ମଧ୍ୟ କରାଯାଇଛି ବୋଲି ସେ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ଜିଲ୍ଲାର ବିସ୍ଥାପିତ ଲୋକମାନଙ୍କ ଦୁଃଖ ଦୂର କରିବା ପାଇଁ ଶୀଘ୍ର ବୈଠକ ଆୟୋଜନ କରି ପ୍ରାୟୋଗିକ ପଦକ୍ଷେପ ନେବାକୁ ସାଧାରଣ ମହଲରେ ଜୋରଦାର ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande