
ଜୟପୁର, ୨୩ ମାର୍ଚ୍ଚ (ହି.ସ.)- ଜୟପୁର ଉପକଣ୍ଠ ଫୁଲବାଡ ସ୍ଥିତ ବିଜ୍ଞାନ ଇଣ୍ଟର ନ୍ୟାସନାଲ ବିଦ୍ୟାଳୟ ଓ ବିଜ୍ଞାନ ଇଣ୍ଟର ନ୍ୟାସନାଲ ପ୍ରାଥମିକ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପ୍ରକାଶ କୁମାର ନାୟକଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ଓ ସମ୍ମାନିତ ଅତିଥି ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଟ୍ରଷ୍ଟି ସଦସ୍ୟ ତଥା ଏକ ହଜାରରୁ ଅଧିକ ଅଭିଭାବକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଜାରି ରହିଥିଲା l ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସଂଗୀତ ଗାନ ପରେ ବିଜ୍ଞାନ ଇଣ୍ଟର ନ୍ୟାସନାଲ, ଫୁଲ ବାଡର ଅଧ୍ୟକ୍ଷ ଡ. ରାଜ କିଶୋର ମଲ୍ଲିକ ଏବଂ ତାରିଣୀ ଛକସ୍ଥିତ ବିଜ୍ଞାନ ଇଣ୍ଟରନ୍ୟାସନଲ ପ୍ରାଇମେରୀ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଗୀତା ରାଣୀ ମିଶ୍ର ୨୦୨୫-୨୦୨୬ ଶିକ୍ଷାବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ସମାଧାନ’ ର ଉନ୍ମୋଚନ କରାଯାଇଥିବା ବେଳେ ପରିଚାଳନା କମିଟି ତଥା ଟ୍ରଷ୍ଟିମାନଙ୍କୁ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥି ସ୍ୱାମୀଜୀ ସଦାନନ୍ଦ ମହାରାଜ ନିଜ ବକ୍ତବ୍ୟ ରଖି ଦେଶ ଗଠନରେ ମାତୃଶକ୍ତିହିଁ ମହାନ ଶକ୍ତି ମତବ୍ୟକ୍ତ କରିଥିଲେ । ମା’ମାନଙ୍କ ଭୂମିକା ପିଲାର ବ୍ୟକ୍ତିତ୍ଵ ଗଠନରେ କିପରି ମୂଲ୍ୟବାନ ଉଦାହରଣ ମାଧ୍ୟମରେ ମତ ରଖିଥିଲେ। ସମ୍ମାନିତ ଅତିଥି ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଭାରତୀୟ ସଂସ୍କୃତିର ଓ ପରମ୍ପରାକୁ ସାମ୍ପ୍ରତିକ ସମୟରେ ପ୍ରାଧାନ୍ୟ ଦେବାର ଆବଶ୍ୟକତ ଉପରେ ଗୁରୁତ୍ଵ ଦେଇଥିଲେ । ପିତାମାତା ପିଲାଙ୍କୁ ପାଶ୍ଚାତ୍ୟଭିମୁଖୀ ଅପେକ୍ଷା ଆମ ବିଚାର ଧାରାରେ ଯେଉଁ ଆଦର୍ଶ ରହିଛି ତାହା ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ଡଃ. ଯୁଗଳ କିଶୋର ମିଶ୍ର ୨୦୨୫-୨୬ ଶିକ୍ଷାବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସଫଳତା ଓ ଆଗାମୀ ଶିକ୍ଷା ବର୍ଷର ଶୈକ୍ଷିକ ଯୋଜନାକୁ ଉପସ୍ଥାପନା କରିଥିଲେ । ତାରିଣୀ ଛକ ବିଦ୍ୟାଳୟର ବାର୍ଷିକ ଅଗ୍ରଗତି ସମ୍ପର୍କରେ ପରିଚାଳନା କମିଟିର ସଭାପତି ପ୍ରଭାକର ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ। ଅତିଥିଗଣ ବିଦ୍ୟାଳୟର ବିଜେତା ଚାରୋଟି ହାଉସକୁ ପୁରସ୍କାର ପ୍ରଦାନ କରିଥିଲେ। ଟ୍ରଷ୍ଟି ସଦସ୍ୟ ଡଃ. ମନୋରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ପର୍ଯ୍ୟାୟକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ସୁଶ୍ରୀ ସରିତା ଦାସ ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଯୋଜନାରେ ରଙ୍ଗ।ରଙ୍ଗ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ନାଚ ଗୀତ ମାଧ୍ୟମରେ ଆହୁରି ମନଲୋଭା କରିଥିଲେ। ସମୁଦାୟ ୨୨ଟି ନାଚ ଏବଂ ଦୁଇଟି ନାଟଜ ପରିବେଷଣ କରି ପିଲାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାକୁ ପ୍ରକାଶ କରିଥିଲେ l ଶେଷରେ ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା l ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସେବକ ସେବିକାଙ୍କ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ ସଫଳ କରିଥିଲେ। ବିଜ୍ଞାନ ଇଣ୍ଟର ନ୍ୟାସନଲ ସ୍କୁଲର ଦ୍ଵାରା ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ସ୍ଥାନୀୟ ସନ୍ଧ୍ୟା ଫଙ୍କସନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ସ୍ୱାମୀ ସୁଧାନନ୍ଦ ସରସ୍ଵତୀ ରାଷ୍ଟ୍ର ଗଠନରେ ଜନତାଙ୍କ ସକାରାତ୍ମକ ଚିନ୍ତନ ତଥା କର୍ତ୍ତବ୍ୟ ସମ୍ପର୍କରେ ଉଦାହରଣ ମାଧ୍ୟମରେ ପରାମର୍ଶ ଦେଇଥିଲେ। ଏହି ପ୍ରବଚନରେ ପ୍ରାୟ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସ୍ଵାମିଜୀଙ୍କ ଦୁଇ ଦିନର ଉପସ୍ଥିତି ସ୍ଥାନୀୟ ପରିବେଶକୁ ମନମୁଗ୍ଧ ଓ ଆକର୍ଷଣୀୟ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି