
ଝାରସୁଗୁଡ଼ା, ୨୨ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ ସ୍ୱରୂପ, ଜିଲ୍ଲାର ୧୨ଟି ପ୍ରମୁଖ ଶିଳ୍ପ ଓ ଖଣି ସଂସ୍ଥାକୁ ବିଭିନ୍ନ ରାସ୍ତାର ସଫେଇ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କ୍ରମରେ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ବଡ଼ମାଲ ବଜାର ଅଞ୍ଚଳରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବଡ଼ମାଲ ବଜାର ଅଞ୍ଚଳ ପୌରପାଳିକା ସୀମା ବାହାରେ ଥିଲେ ମଧ୍ୟ, ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଏହି ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫା କରାଯାଇଛି।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାନୁସାରେ, ଏସଏଚ-୧୦, ଏନଏଚ-୪୯
ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାର ପ୍ରାୟ ୮୪ କିଲୋମିଟର ପରିମିତ ଅଞ୍ଚଳକୁ ବିଭିନ୍ନ କମ୍ପାନୀଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଛି। ଏଥିମଧ୍ୟରେ ଏସଏମସି (ରୁଙ୍ଗଟା)କୁ ଖେରୁଆଲରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ୫ କିଲୋମିଟର, ବେଦାନ୍ତକୁ ବିଜୁ ପଟ୍ଟନାୟକ ଛକରୁ ସରବାହାଲ ହୋଇ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ୬ କିଲୋମିଟର, ଏଲଏନ ମେଟାଲିକ୍ସକୁ ପ୍ରସନ୍ନ ପଣ୍ଡା ଛକରୁ ପଞ୍ଚପଡ଼ା ଛକ ପର୍ଯ୍ୟନ୍ତ ୧.୪ କିଲୋମିଟର ଏବଂ ଟିପିଏସଏଲ ଲହଣ୍ଡାବୁଡ଼କୁ ପଞ୍ଚପଡ଼ା ଛକରୁ ସର୍କିଟ ହାଉସ ଛକ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ସଫେଇ ଦାୟିତ୍ୱ ଦିଆଯାଇଛି। ସେହିପରି ଆଇଓସିଏଲ ଓ ଅଲଟ୍ରାଟେକକୁ ଏସପି ଅଫିସ ଛକରୁ ଯଥାକ୍ରମେ ତାଳପଟିଆ ଓ ଧୁତୁରା ଛକ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଟିଆରଏଲ-କ୍ରୋସାକି ଓ ଏମସିଏଲ ଲଖନପୁର ଏରିଆକୁ ଶିବ ମହିମା ଛକରୁ ଗୋବିନ୍ଦପୁର ଟୋଲ ପ୍ଲାଜା ପର୍ଯ୍ୟନ୍ତ ପ୍ରାୟ ୨୨ କିଲୋମିଟର ରାସ୍ତା ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଓଏମପିଏଲକୁ ଗାନ୍ଧୀ ଛକରୁ ପ୍ରସନ୍ନ ପଣ୍ଡା ଛକ, ଏମସିଏଲ ଆଇବି ଭାଲିକୁ ଗାନ୍ଧୀ ଛକରୁ ଶିବ ମହିମା ଛକ ଏବଂ ଓପିଜିସିକୁ ମୁଚବାହାଲ ଛକରୁ ବନହରପାଲି ଛକ ଓ ଜେଏସଡବ୍ଲୁ-ଏନର୍ଜି ଉତ୍କଳକୁ ବନହରପାଲି ଛକରୁ ଧୁନଧୁନ ଛକ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି।ସୂଚନା ଅନୁସାରେ, ପ୍ରତ୍ୟେକ କମ୍ପାନୀ ସେମାନଙ୍କ ନିର୍ଦ୍ଧାରିତ ଅଞ୍ଚଳରେ ଯାନ୍ତ୍ରିକ ଓ ମାନବିକ ପଦ୍ଧତିରେ ନିୟମିତ ଭାବେ 'ଡି-ଡଷ୍ଟିଂ' ବା ଧୂଳି ସଫେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ କାର୍ଯ୍ୟ ଟ୍ରାଫିକ୍ କମ୍ ଥିବା ସମୟରେ କରାଯିବ ଏବଂ ଏହାର ଫଟୋ ପ୍ରତିଦିନ ପ୍ରଶାସନିକ ହ୍ୱାଟ୍ସଆପ୍ ଗ୍ରୁପରେ ଶେୟାର କରାଯିବ। ପ୍ରତି ୧୫ ଦିନରେ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଯେକୌଣସି ଅବହେଳା ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ