
କେନ୍ଦ୍ରାପଡା, ୨୨ ମାର୍ଚ୍ଚ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ଆର୍ଥିକ ବର୍ଷ ୨୦୨୫-୨୬ ବର୍ଷ ପାଇଁ ଏକ ସମୀକ୍ଷା ତଥା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସଂସ୍କୃତି ଭବନ, କେନ୍ଦ୍ରାପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ, ଡଃ. ମନୋରଂଜନ ରାଉତ, ଶ୍ରୀ ବଳଦେବଜିଉବଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ବିଭିନ୍ନ କ୍ଷେତ୍ରରେ କ୍ଷେତ୍ର କର୍ମଚାରୀ ମାନେ ଯେଉଁ ସଫଳତା ସହିତ କାର୍ଯ୍ୟ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସ୍ତରରୁ ସମସ୍ତ ବିପିଏଏମ୍ ଏବଂ ବି ଡି ଏମ୍ ଉପସ୍ଥିତ ରହିବା ସହିତ ଜିଲ୍ଲା ସ୍ତରର ଜାତୀୟ ସ୍ବାସ୍ଥ୍ୟ ମିଶନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସେମାନଙ୍କ ବିଷୟ ଉପରେ ସମୀକ୍ଷା କରିବା ସହିତ ଆଗାମୀ ବର୍ଷ କିପରି ଭାବେ ଆହୁରି ଅଧିକ କ୍ଷେତ୍ରରେ ଭଲ ସ୍ବାସ୍ଥ୍ୟ ଅଭ୍ୟାସ କରାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ। ରାଜ୍ୟ ସ୍ତରରୁ ଶଶୀ ଭୂଷଣ ଜେନା, ଷ୍ଟେଟ ଡାଟା ମ୍ୟାନେଜର, ଅନିଲ କୁମାର ଦାସ, କନ୍ସଲଷ୍ଟାଣ୍ଟ, ତଦାରଖ ଓ ମୂଲ୍ୟାୟନ, ମୃତ୍ୟୁଞ୍ଜୟ ରଥ, ଷ୍ଟେଟ ଟ୍ରେନିଂ କନ୍ସଲଷ୍ଟାଣ୍ଟ ଏବଂ ଶ୍ରୀମତୀ ରଶ୍ମିତା ଦାସ, କନ୍ସଲଷ୍ଟାଣ୍ଟ ଇ - ସଞ୍ଜିବନୀ, ଭୁବନେଶ୍ୱର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ। ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ, କୈଶୋର ସ୍ବାସ୍ଥ୍ୟ, ରକ୍ତହୀନତା ଦୂରୀକରଣ, ଅପପୁଷ୍ଟିର ନିରାକରଣ, ଇ ସଞ୍ଜିବନୀ ମାଧ୍ୟମରେ ଗୋଷ୍ଠୀ ରୋଗୀ ଓ ଡାକ୍ତରଙ୍କ ସଂଯୋଗୀକରଣ ଓ ରୋଗର ନିରାକରଣ, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ବିଭିନ୍ନ ଇଣ୍ଡିକେଟର୍ ଉପରେ ସମୀକ୍ଷା, ଗୋସ୍ଥି ସହଭଗିତା, ନବଜାତ ଶିଶୁର ଘରୋଇ ଯତ୍ନ, ଅମ୍ଳାନ କାର୍ଯ୍ୟକ୍ରମର ସମୀକ୍ଷା ଓ ଦକ୍ଷତା ବୃଦ୍ଧି କରାଯାଇଥିଲା। ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଉପ ସ୍ବାସ୍ଥ୍ୟ କେନ୍ଦ୍ର ତଥା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କିଭଳି ଭାବେ ସମସ୍ତ ଆବଶ୍ୟକୀୟ ଔଷଧ ଓ ସାମଗ୍ରୀ ସମୟାନୁସାରେ ରହିବ ସେ ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ଗର୍ଭାବସ୍ଥାରେ ବିପଦପୂର୍ଣ୍ଣ ମାର ଚିହ୍ନଟ ସାଙ୍ଗକୁ ତା'ର ସଠିକ୍ ପରିଚାଳନା, ଡାକ୍ତରଖାନା ଶତକଡା ୧୦୦ ପ୍ରତିଶତ ଜନ୍ମ ପାଇଁ ସମସ୍ତେ ସଜାଗ ରହିବା, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ୟକ୍ରମ, ପୁଷ୍ଟି ପୁନର୍ବାସ କେନ୍ଦ୍ର ପାଇଁ ଅତିଶୟ ପୁଷ୍ଟିହୀନ ଶିଶୁ ମାନଙ୍କୁ ପ୍ରେରଣ କରିବା, ଗ୍ରାମାଞ୍ଚଳରେ ଉଭୟ ଆଶା ଓ ଅଙ୍ଗନୱାଡ଼ି ସହିତ ଯୁଗ୍ମ ପରିଦର୍ଶନ କରିବା, ଠିକ୍ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସେବା ଯୋଗାଇଦେବା ଅବସରରେ ସମସ୍ତେ ସଠିକ୍ ସମୟ ଅବଲମ୍ବନ କରିବା କଥା ତାଗିଦ୍ କରାଯାଇଥିଲା।
ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ବିଷ୍ଣୁ ଚରଣ ସାହୁ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ମ୍ୟାନେଜର ଜିତେନ୍ଦ୍ର ଖଡ଼ିରତ୍ନ, ଜ୍ୟୋତିର୍ମୟୀ ଜେନା, ଅମିତ୍ ପଣ୍ଡା, ଶ୍ୟାମ ସୁନ୍ଦର ବିଶ୍ୱାଳ, ମମତା ଦାଶ, ଏପିଡେମିଓଲୋଜିଷ୍ଟ ଡ଼ ଅଶୋକ କୁମାର ସାହୁ, ଡି ପି ଏଚ ସି ଓ ଶୁଭ ନାରାୟଣ ନାୟକ ଏବଂଡି ପି ସି ବିଶ୍ୱରଞ୍ଜନ ଦାସ ସମେତ ସମସ୍ତେ ଉପସ୍ଥିତ ରହି ବିଶେଷ ପରାମର୍ଶ ପୂର୍ବକ ସମସ୍ତ ସମୀକ୍ଷା କରିଥିଲେ। ଶେଷରେ ଡ଼. ସୁକାନ୍ତ କୁମାର ପ୍ରଧାନ, ଡେପୁଟୀ ମ୍ୟାନେଜର, ପ୍ରଜନ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି