
ମୁଖୀଗୁଡା, ୨୨ ମାର୍ଚ୍ଚ (ହି.ସ.)- ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷ ମେଗାଲିଫ୍ଟ ଜରିଆରେ କେନାଲ ପାଣି ଗତ ଜାନୁଆରୀ ୭ ତାରିଖରୁ ଛଡାଯାଇଛି। ଯେଉଁଥିରେ ଧର୍ମଗଡ ଉପଖଣ୍ଡ ଅଧୀନରେ ଥିବା ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ ବ୍ଲକର ୭୪ଟି ଗ୍ରାମର ଚାଷୀ ଡ଼ାଳୁଆ ଧାନ ଚାଷ କରି ନିଜର ଆର୍ଥିକ ସୁଧାର ଆଣିବା ସହ ଉପକୃତ ହେବେ। ଏଥିପାଇଁ ଚାଷୀ ମଧ୍ୟ କେନାଲ ପାଣି ଯୋଗାଣ ହେବା ପରେ ନିଜନିଜ କ୍ଷେତରେ ଧାନ ଚାଷ କରିଛନ୍ତି । ଶ୍ରମିକ ସମସ୍ୟା ଥିଲେ ମଧ୍ୟ ରୁଆ କାମ ଶେଷ କରିଛନ୍ତି କାଁଭା କିଛି ସ୍ଥାନରେ ରୁଆ କାର୍ଯ୍ୟ ଜାରି ରହିଥିବା ବେଳେ ଚାଷୀ କିଭଳି ନିଜର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିକୁ ନେଇ ବିକ୍ରି କରିବେ ସେଥିପାଇଁ ପେକ୍ସ ଜରିଆରେ ରବି ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ କରାଯାଇଛି। ତା'ର ସମୟ ସୀମା ଆସନ୍ତା ୨୫ ତାରିଖରେ ଶେଷ ହେବ । ହେଲେ ପଞ୍ଜି କରଣ ପୋର୍ଟାଲରେ ମେଗା ଲିଫ୍ଟର ଅପସନ ନଥିବାରୁ ଚାଷୀମାନେ ପଞ୍ଜିକରଣ କରି ପାରୁନାହାନ୍ତି। ପେକ୍ସ ମାନଂକୁ ଖରାରେ ଯାଇ ହଇରାଣ ହୋଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଜାନୁଆରୀ ପ୍ରଥମ ସପ୍ତାହରୁ ଜଳସେଚନ ଆରମ୍ଭ କରାଯାଇ ୧୮୮୫୫.୪୫ ହଜାର ହେକ୍ଟର ଚାଷ ଜମିରେ ଜଳସେଚନ କରି ଡ଼ାଳୁଆ ଧାନ ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଏଥିରେ ଜୟପାଟଣା ବ୍ଲକର ହୀରାପୁର, ବଡ଼କରଳାକୋଟ, ପାବଲି, ଲାଖବାହାଳି, ସିଲେଇଜୋର, ସର୍ଗିଗୁଡା, ଏକଟାଗୁଡା, ବାଞ୍ଜିବାହାଲ, ନାଗଫେନୀ, ପ୍ରତାପପୁର, କୁଚାଗାଁ, ଭଇଁରିପାଲି, ବିମଳା, ରେଙ୍ଗାଲପାଲି, ତାଲପଦର, ଗୋପାଳପୁର, କୁମଜୋର, ପାଣ୍ଡରିପଖାନ, ଉଚ୍ଚଳା, ସାଗଜୋର, ଚାଚିଗୁଡା ଆଦି ଗ୍ରାମର ଅଣଜଳସେଚିତ ଅଂଚଳର ଚାଷୀମାନେ ଡାଳୁଅ ଚାଷ କରି କରିଛନ୍ତି। ଏମାନେ ଧାନ ବିକିବା ପାଇଁ ପଞ୍ଜିକରଣ କରିବାକୁ ପେକ୍ସମାନଙ୍କୁ ଯାଉଥିବା ବେଳେ ପଞ୍ଜିକରଣ ପୋର୍ଟାଲରେ ମେଗା ଲିଫ୍ଟ ଅପସନ ଦେଖାଯାଉ ନଥିବାରୁ ପଞ୍ଜିକରଣ କରିପାରି ନାହାନ୍ତି । ଆସନ୍ତା ୨୫ ତାରିଖରେ ପଞ୍ଜିକରଣ ଅବଧି ଶେଷ ହେଉଥିବାବେଳେ ଶହଶହ ଚାଷୀ ଏ ୩ ଦିନ ମଧ୍ୟରେ କିଭଳି ପଞ୍ଜିକରଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । କେବେ ପଞ୍ଜିକରଣ ପୋର୍ଟାଲ ଖୋଲିବ ସେଦିନକୁ ଅପେକ୍ଷା କରିଛନ୍ତି ଚାଷୀ ।
ହିନ୍ଦୁସ୍ଥାନ ସମାଚାର / ନିହାର