
ଜୟପୁର, ୨୨ ମାର୍ଚ୍ଚ (ହି.ସ.)- ଏମ୍ ଏସ୍ ସ୍ବାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ପକ୍ଷରୁ ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମପଞ୍ଚାୟତରେ ବିଶ୍ୱ ଜଳ ଦିବସ ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏସଡବ୍ଲୁସି , ସୁନାବେଡ଼ାର ବୈଜ୍ଞାନିକ ଡକ୍ଟର ଜ୍ୟୋତିର୍ମୟୀ ଲେଙ୍କା ଯୋଗ ଦେଇ ଜଳ ସଂରକ୍ଷଣର ଗୁରୁତ୍ୱ ଓ ବିଭିନ୍ନ ବିଜ୍ଞାନସମ୍ମତ ପଦ୍ଧତି ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଇଥିଲେ। ଦୁଧାରୀ ଗ୍ରାମପଞ୍ଚାୟତର ନାୟବ ସରପଞ୍ଚ ଶ୍ରୀ ମହେଶ୍ୱର ନାୟକ ଅଞ୍ଚଳରେ ବଢ଼ୁଥିବା ଜଳ ସଙ୍କଟ, ତାହାର ସଠିକ୍ ପରିଚାଳନା ଓ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ଓ କୃଷି କାର୍ଯ୍ୟ ପାଇଁ ଜଳ ସେଚନ ବ୍ୟବସ୍ଥା ବିଷୟରେ ନିଜ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଡ଼ଃ କାର୍ତ୍ତିକ ଚରଣ ଲେଙ୍କା (ବୈଜ୍ଞାନିକ, ଏମ ଏସ ଏସ ଆର ଏଫ ) ବିଶ୍ୱ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଅତ୍ୟାବଶ୍ୟକ ବୋଲି କରି ସମସ୍ତଙ୍କୁ ଜଳ ସଂରକ୍ଷଣ ପାଇଁ ଶପଥ ଗ୍ରହଣ କରାଇଥିଲେ।ସନ୍ତୋଷ କୁମାର ସାହୁ ଜିଆର ଏଫ ଏମ ଏସ ଏସ ଆର ଏଫ ଭୂଗର୍ଭ ଜଳ ସମ୍ପଦର ପୁନଃଉଦ୍ଧାର, ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତା ଓ ତାହାର କୃଷିରେ ସଠିକ୍ ବ୍ୟବହାର ବିଷୟରେ ଉପରେ ପ୍ରାଧ୍ୟାନ୍ୟ ଦେଇଥିଲେ । ଶ୍ରୀମତୀ ଦିପ୍ତିମୟୀ ସାହୁ ବର୍ଷା ଜଳକୁ କିପରି ସଂଗ୍ରହ, ସଂରକ୍ଷଣ ଓ ସଠିକ୍ ବ୍ୟବହାର କରିପାରିବା ସେଥିପାଇଁ ପ୍ରାୟୋଗିକ ଉପାୟ ବିଷୟରେ ଅଲୋଚନା କରିଥିଲେ।ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ଦୁଧାରୀ ଗ୍ରାମପଞ୍ଚାୟତର ପ୍ରାୟ ୮୦ ଜଣ ଚାଷୀ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲେ।କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଗୋପି ଗୋଲାରୀ, ଦିଲୀପ କୁମାର ସୁବୁଦ୍ଧି ଓ ଶ୍ରୀ ପ୍ରତ୍ୟୁଷ ପାଢ଼ୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା।ଏହି କାର୍ଯ୍ୟକ୍ରମ ଏମ ଏସ ଏସ ଆର ଏଫ ର ନିର୍ଦ୍ଦେଶକ, ପ୍ରଶାନ୍ତ ପରିଡା ଜୟପୁର ଙ୍କ ନେତୃତ୍ୱରେ ଏବଂ ଡ଼. କାର୍ତ୍ତିକ ଚରଣ ଲେଙ୍କାଙ୍କ ପରିଚାଳନାରେ ସୁସଂଗଠିତ ଭାବେ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି