
ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- କବିତା ମନର କଥା କହେ, ହୃଦୟର କଥା କହେ, ସମାଜର କଥା କହେ । କବିତା ଭିତରେ ଥାଏ ମଣିଷର କୋହ, ଲୁହ, କ୍ଷୋଭ, ଅଭିମାନ ପୁଣି ଆତ୍ମ ସନ୍ତୋଷର ଭାବ । ଗୋଟିଏ ସମାଜର ସଂସ୍କୃତି, ଲୋକକଥା, ପର୍ବପର୍ବାଣି ଓ ସାମାଜିକ ଚଳଣିର ଚିତ୍ର କବିତା ପଢିଲେ ଜାଣିହୁଏ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଓ ଜିଲ୍ଲା ସାମ୍ବାଦିକ ସଂଘ ଦ୍ଵାରା ମିଳିତ ଭାବରେ ସ୍ଥାନୀୟ ସାମ୍ବାଦିକ ଭାବନରେ ବିଶ୍ୱ କବିତା ଦିବସ ଉପଲକ୍ଷେ ଆୟୋଜିତ ବହୁଭାଷୀ କବି ସମ୍ମେଳନରେ ଏଭଳି ମତ ପ୍ରକାଶ ପାଇଛି।
'କୋଶଳ ପ୍ରବାହ'ର ସମ୍ପାଦକ କବି ଆନଂଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୋ ପାଇଁ କବିତା ବିଷୟରେ ଯୁବକବି ଗଣେଶ ବାରିକ, ଯୋଗେଶ୍ୱରୀ ଦାଶ ଏବଂ ରମାକାନ୍ତ ନାଏକ ଯୋଗଦେଇ ନିଜର ପିଲାଦିନରୁ କିପରି କବିତା ପ୍ରତି ଆକୃଷ୍ଟ ହେଲେ ଓ ଏବେ ନିଜ ଭାବନାକୁ କବିତା ଭିତରେ କିପରି ଉତାରି ପାରୁଛନ୍ତି ସୁନ୍ଦର ଭାବରେ କହିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ କବି ଆଲୋକ ହୋତାଙ୍କ କୋଶଲି କବିତା ସଂକଳନ 'ବଏଲା ହୋ' ଉନ୍ମୋଚିତ ହୋଇଥିଲା । ଏହି ଉନ୍ମୋଚନ ପର୍ବରେ ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟା କବି ଡାକ୍ତର ଜ୍ୟୋତିର୍ମୟୀ ସାହୁ ଯୋଗଦେଇ କବିଙ୍କୁ ଶୁଭେଚ୍ଛା ଜଣାଇ କବିତାର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭା ପରିଚାଳନା କରିଥିଲେ କବି ସସ୍ମିତା ନେପାକ ଓ ଧନ୍ୟବାଦ ଦେଇଥିଲେ 'ରଚନା'ର ସଭାପତି ସନାତନ ଠାକୁର । ପରେ ପରେ କବି ଲିଲି ପଟେଲ ଏବଂ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ମନୋଜ୍ଞ ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ତଥା ଆଖପାଖ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମସ୍ତ ଶବ୍ଦଶିଳ୍ପୀମାନଙ୍କୁ ଧନ୍ୟବାଦ ଦେଇଥିଲେ 'ରଚନା'ର ସହସମ୍ପାଦକ କବି ରତ୍ନମୟ ତ୍ରିପାଠୀ ।
ଏହି କାର୍ଯ୍ୟକ୍ରମରେ 'ରଚନା' ଓ ସାମ୍ବାଦିକ ସଂଘର କର୍ମକର୍ତ୍ତା, ସଦସ୍ୟସଦସ୍ୟା, ବୁଦ୍ଧିଜୀବୀ ଓ ବହୁ କବିତାପ୍ରମୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ