
କନ୍ଧମାଳ, ୨୨ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ଓ ବାର୍ଷିକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଫୁଲବାଣୀ ସ୍ଥିତ ଡ୍ରିମଲାଣ୍ଡ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ ପରେ ପ୍ରଥମେ ସଂଘର ଦିବଙ୍ଗତ ସଦସ୍ୟ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସାଧାରଣ ସମ୍ପାଦକ ପ୍ରଣବ କୁମାର ମଣ୍ଡଳ, ସମ୍ପାଦକୀୟ ବିବରଣୀ ଓ ଅଭିଭାଷଣ ରଖିଥିଲେ। କୋଷାଧ୍ୟକ୍ଷଙ୍କ ଦ୍ବାରା ବାର୍ଷିକ ଆୟ ବ୍ୟୟ ବିବରଣୀ ପ୍ରଦାନ ପରେ, ସଭାପତି ତାଙ୍କ ଅଭିଭାଷଣରେ ଚଳିତ ବର୍ଷ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଯାହା ବରିଷ୍ଠ ନାଗରିକ ତଥା ସେମାନଙ୍କ ପରିବାର କଲ୍ୟାଣ ଦିଗରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସମାଜ ସଂସ୍କାରମୂଳକ ସଚେତନତା କାର୍ଯ୍ୟକ୍ରମ ସମେତ ଆଗକୁ ସଂଘ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂଘର କାର୍ଯ୍ଯକାରୀ ସଭାପତି ନବକିଶୋର ରଥ, ଅନନ୍ତ ଚରଣ ମିଶ୍ର, ବିଜୟ କୁମାର ମହାନ୍ତି, ପିତାମ୍ବର ମିଶ୍ର, ରବି ସୁବୁଦ୍ଧି, ବ୍ରଜ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ସଂଗଠନ ସମ୍ପାଦକ ବଂଶୀଧର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ଯବାଦ୍ ଅର୍ପଣ କରିଥିଲେ। ଶେଷରେ ଏକ ସାମୁହିକ ମଧ୍ଯାନ୍ନ ଭୋଜନରେ ସମସ୍ତଙ୍କୁ ଆପ୍ଯାୟିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ