
ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ ମହିଳା/ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଓ ଚବିଶପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି ଚନ୍ଦ୍ରମଣୀ ତ୍ରୀପାଠୀ ସୂଚନା ଦେଇଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଆୟୋଜକ କମିଟିର ସଭାପତି ଭାବରେ ଚନ୍ଦ୍ରମଣୀ ତ୍ରୀପାଠୀ, ଉପସଭାପତି -ଋଷଭ ପୁଟେଲ, ଜାହ୍ନବୀ ନାଏକ, ସଂପାଦକ ଅରବିନ୍ଦ ପରୁଆ, ସହସଂପାଦକ ଅଶ୍ୱିନୀ ସାଏ ଓ ସହକୋଷାଧ୍ୟକ୍ଷ ଦୁର୍ବାଦଳ ପଟେଲ ରହିଛନ୍ତି । ମନ୍ଦିରପ୍ରତିଷ୍ଠା କର୍ତ୍ତା ଭାବରେ ଦେବାନନ୍ଦ ପଟେଲ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତି ପଟେଲ, ଚବିଶପ୍ରହର ନାମ ଯଜ୍ଞରେ କର୍ତ୍ତାଭାବେ ରାମକୃଷ୍ଣ ସାଏ ଓ ତାଙ୍କ ଧର୍ମପତ୍ନୀ ଦିପ୍ତିମୟୀ ସାଏ ରହିବେ । କଆଗାଁର ସୁଶାନ୍ତ ମିଶ୍ର ପୂଜକ ଦାୟିତ୍ୱ ନେଇଛନ୍ତି । କମିଟି ସହିତ ପଡାର ବରିଷ୍ଠ ନାଗରିକମାନେ ଉପଦେଷ୍ଟା ରହିଛନ୍ତି ।
ଆସନ୍ତା ୫ ଦିନ ଧରି ବଲାଙ୍ଗିର ସହରର ତାଲପାଲିପଡା ଉତ୍ସବମୁଖର ହେବ । ତାଲପାଲିପଡାରେ ପୁନଃନିର୍ମିତ ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ଓ ଚବିଶପ୍ରହର ନାମଯଜ୍ଞ ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ଆଜି କଳସ ଶୋଭାଯାତ୍ରା ତଥା ଅଧିବାସ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୨୫ ତାରିଖରେ ବିଗ୍ରହପ୍ରତିଷ୍ଠା ଓ ୨୬ ତାରିଖରେ ସିଂଘାସନ ଆରୋହଣ, ଗର୍ଭଗୃହରେ ଷୋଡଶଉପଚାର ପୂଜା ସହିତ ପୂର୍ଣ୍ଣାହୂତି କରାଯିବ । ପ୍ରତ୍ୟେକଦିନ ହୋମଯଜ୍ଞ ସହିତ ନାମସଂକିର୍ତ୍ତନ କରାଯିବ । ଶେଷଦିନରେ ଛତିଶଗଡ ଝାରବନ୍ଧ ଓ ଧାନବସାର ବୈଠକୀ କିର୍ତ୍ତନ ମୁଖ୍ୟଆକର୍ଷଣ ରହିଛି । ତାଲପାଲିପଡାର ବିଶିଷ୍ଟବ୍ୟକ୍ତିଙ୍କୁ ନେଇ ଆୟୋଜକ କମିଟି ଗଠନ କରାଯାଇଛି । ପଡାର ସମସ୍ତେ ସହଯୋଗର ହାତ ବଢାଉଛନ୍ତି । ପଡାର ସମସ୍ତବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ରାଜନୈତିକ ଭେଦଭାବ ଠାରୁ ଦୂରରେ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବଗୋଷ୍ଠୀ ବାହାରିଛନ୍ତି । ଗତ ୨ବର୍ଷ ତଳେ ମନ୍ଦିରର ରତ୍ନମୁଦ କରାଯାଇଥିଲା । କଳିକେଶ ନାରାୟଣ ସିଂଦେଓ ସାଂସଦ ଥିବାବେଳେ ପ୍ରଥମକରି ଏହି ମନ୍ଦିର ପୁନଃରୁଦ୍ଧାର ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ପରେ ରତ୍ନମୁଦ କାର୍ଯ୍ୟକ୍ରମ ବେଳେ ଆଉ ଅନୁଦାନ ଦେଇ ମନ୍ଦିରକାମକୁ ସଂପୂର୍ଣ୍ଣ କରାଇବାକୁ ପଡାବାସୀ ଅନୁରୋଧ କରିଥିଲେ । ଲୋକଙ୍କ ଦାବିକୁ ନେଇ କଳିକେଶ ନାରାୟଣ ସିଂଦେଓ ଓ ପୌରାଧ୍ୟକ୍ଷା ଅନୁଦାନ ଯୋଗାଡ କରି ଦେଇଥିଲେ, ଯାହାଦ୍ୱାରା ମନ୍ଦିରଟି ସଂପୂର୍ଣ୍ଣ ହୋଇପାରିଛି ।
ବିଗ୍ରହପ୍ରତିଷ୍ଠା ଉତ୍ସବରେ ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ ଓ କାଉନସିଲର ଅରବିନ୍ଦ ପରୁଆ ଉପସ୍ଥିତ ରହିବେ ବୋଲି ପ୍ରତିଶୃତି ଦେଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ