ବିଏମ୍ ସିକୁ ମିଳିଲା ଗ୍ଲୋବାଲ ସଷ୍ଟେନେବିଲିଟି ଆଣ୍ଡ ଇନୋଭେସନ୍ ପୁରସ୍କାର 2026
Bhubaneswar, 25 ମାର୍ଚ୍ଚ (ହି.ସ.) • ସୋଲାର ଓ୍ୱାଟର କିଓସ୍କ ଓ ମଳପଙ୍କ ପ୍ରକ୍ରିୟାକରଣ ପାଇଁ ପୁରସ୍କାର • ଭୁବନେଶ୍ବର ବାସୀଙ୍କୁ ସାଧୁବାଦ ଜଣାଇଲେ ମେୟର ଓ କମିଶନର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)କୁ ମିଳିଲା ଗ୍ଲୋବାଲ ସଷ୍ଟେନବିଲିଟି ଆଣ୍ଡ ଇନୋଭେସନ ପୁରସ୍କାର-2026 । ଜଳବାୟୁ
ବିଏମ୍ ସିକୁ ମିଳିଲା ଗ୍ଲୋବାଲ ସଷ୍ଟେନେବିଲିଟି ଆଣ୍ଡ ଇନୋଭେସନ୍ ପୁରସ୍କାର 2026


Bhubaneswar, 25 ମାର୍ଚ୍ଚ (ହି.ସ.)

• ସୋଲାର ଓ୍ୱାଟର କିଓସ୍କ ଓ ମଳପଙ୍କ ପ୍ରକ୍ରିୟାକରଣ ପାଇଁ ପୁରସ୍କାର

• ଭୁବନେଶ୍ବର ବାସୀଙ୍କୁ ସାଧୁବାଦ ଜଣାଇଲେ ମେୟର ଓ କମିଶନର

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)କୁ ମିଳିଲା ଗ୍ଲୋବାଲ ସଷ୍ଟେନବିଲିଟି ଆଣ୍ଡ ଇନୋଭେସନ ପୁରସ୍କାର-2026 । ଜଳବାୟୁ ଅନୁକୂଳ ନବୀକରଣଯୋଗ୍ୟ ଜଳ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷତା ଏବଂ ମଳପଙ୍କ ପ୍ରକ୍ରିୟାକରଣରୁ ସମ୍ବଳ ପୁନଃଉଦ୍ଧାର କରିବା କ୍ଷେତ୍ରରେ ଅଭିନବ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଛି । ସ୍ୱୀକୃତିପ୍ରାପ୍ତ ସ୍ଥାୟୀ ଭିତ୍ତିଭୂମି ଏବଂ ଦକ୍ଷ ବର୍ଜ୍ୟ ଜଳ ପରିଚାଳନାରେ ବିଏମ୍ ସିର ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହି ସମ୍ମାନ ଜନକ ପୁରସ୍କାର ମିଳିଛି । ନୂଆଦିଲ୍ଲୀ ଶାମଭେଟ୍ ଅଡିଟୋରିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ ସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପ୍ରଦତ୍ତ ଏହି ପୁରସ୍କାରକୁ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର,ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ, ସହକାରୀ କମିଶନର ଲୋକନାଥ ବେଜ୍, ଓରେଡା ର ଉପ ନିର୍ଦେଶକ ବ୍ରହ୍ମାନନ୍ଦ ତରାଇ ପ୍ରମୁଖ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ବିଶ୍ୱସ୍ତରରେ ଏହି ପୁରସ୍କାର ମିଳୁଥିବାରୁ ମେୟର ଓ କମିଶନର ଖୁସି ବ୍ୟକ୍ତ କରିବା ସହ ଏହା ବିଏମ୍ ସିବାସୀଙ୍କର ବିଜୟ ଓ ଶ୍ରେୟ ସେହିମାନଙ୍କୁ ଯାଉଛି ବୋଲି କହିଛନ୍ତି । ଟିମ୍ ବିଏମ୍ ସି ସହ ସମସ୍ତ ଅଧିକାରୀ, କର୍ମଚାରୀ, କର୍ପୋରେଟର, ସ୍ୱଚ୍ଛକର୍ମୀ ଓ ସ୍ୱଚ୍ଛସାଥୀଙ୍କ ସହ ଏହି ଶ୍ରେୟ ଭୁବନେଶ୍ୱରବାସୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ପୁରଷ୍କାର ଗ୍ରହଣ କରିବା ଅବସରରେ ସେମାନେ ମତବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବର ବାସୀଙ୍କ ସହଯୋଗ ଆମ ବିକାଶ ପ୍ରକ୍ରିୟାକୁ ଆଗେଇ ନେଉଛି , ଏହିଭଳି ସମ୍ମାନ ଆମ ଭୁବନେଶ୍ବରର ବାସପୋଯୋଗୀତା ମୂଲ୍ୟ ବୃଦ୍ଧି କରୁଛି ବୋଲି କହିଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ।

ସୂଚନା ଯୋଗ୍ୟ କି ବିଏମ୍ ସି ଅଂଚଳରେ ସମୁଦାୟ 30 ଗୋଟି ସୋଲାର ଓ୍ୱାଟର କିଓସ୍କ ଚାଲିଛି । ଯାହାକି ଜଳବାୟୁ ତଥା ପରିବେଶ ଅନୁକୂଳ । କେବଳ ସେତିକି ନୁହେଁ, ବାସୁଆଘାଇଠାରେ ମଳପଙ୍ଗ ପ୍ରକ୍ରିୟାକରଣ କରି ସେଥିରୁ ବାହାରୁଥିବା ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି ଏବଂ ମଳପଙ୍କକୁ ମଧ୍ୟ ଖତ ରୂପେ ବ୍ୟବହାର କରାଯାଉଛି । ସବୁଠାରୁ ବଡକଥା ହେଲା ଯେ, ମଣିଷର ମଳମୂତ୍ରକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଉଛି । ଯାହା ଫଳରେ ମଳମୁତ୍ର ଅନ୍ୟ ଜଳଶ୍ରୋତରେ ମିଶି ଜଳ କିମ୍ବା ବାୟୁ ପ୍ରଦୂଷଣ କରୁନାହିଁ । ଏହାକୁ ପ୍ରକ୍ରିୟାକରଣ କରିବା ପାଇଁ ନିୟୋଜିତ ତୃତୀୟ ଲିଙ୍ଗର କର୍ମୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ସହ ଧ୍ୟାନ ଦେଇଆସୁଛି ବିଏମ୍ ସି ।

ଭୁବନେଶ୍ୱରକୁ ଦୀର୍ଘ ମିଆଦି ସୂତ୍ରରେ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଏହି ପ୍ରକ୍ରିୟା ଜାରି ରହିଛି । ଏ ସବୁକୁ ସାମଗ୍ରୀକ ଭାବେ ବିଚାରକୁ ନେଇ ଆର୍ଥ ଓ୍ୱାଟର ଫାଉଣ୍ଡେସନ ପକ୍ଷରୁ ବିଏମ୍ ସିକୁ ଏହି ସମ୍ମାନଜନକ ଗ୍ଲୋବାଲ ପୁରସ୍କାର ପାଇଁ ଚୟନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande