
କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ପରିବହନ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହାକୁ ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ(ଆର୍ଟିଓ) ଲୋକନାଥ ମେହେର୍ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଏମ୍.ଭି.ଆଇ. କାଜଲ୍ ପ୍ରଧାନ, ଅତିରିକ୍ତ ଏମ୍.ଭି.ଆଇ. ଶ୍ରୀକାନ୍ତ ଟୁଡୁ, ଟି.ଆଇ. ରାଜ ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରରେ ଭାରିଜାନ ଚାଳକ ବସ୍, ଟ୍ରକ୍ ପ୍ରଭୃତି ଚାଳକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିସହିତ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟନେଇ ଆସିଥିବା ବ୍ୟକ୍ତି ନିଜ ଇଚ୍ଛାରେ ରକ୍ତଦାନ କରିଥିଲେ। ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ବିଭାଗ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ମୋଟ୍ ୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମକୁ ପରିବହନ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସଂଜୟ କୁମାର ନାୟକ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି