
ବଲାଙ୍ଗିର, 25 ମାର୍ଚ୍ଚ (ହି.ସ.)
ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀର ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟା ନେଇ ପ୍ରଶ୍ନ କରିଛନ୍ତି । ମତ୍ସ୍ୟଚାଷିଙ୍କ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାରେ ୨୦୨୩-୨୪ରେ ଅଧିକ ୬୫.୮୨ ହେକ୍ଟର,୨୦୨୪-୨୫ରେ ୭୩.୧୨ହେକ୍ଟର ଓ ୨୦୨୫-୨୬(ଫେବୃୟାରୀ ପର୍ଯ୍ୟନ୍ତ)୫୭.୩୬ ହେକ୍ଟରରେ ନୂତନ ମାଛ ପୋଖରୀ ଖୋଳାଯାଇଛି । ସେଥିରେ ସର୍ବମୋଟ ୩୩୩ଜଣ ମାଛଚାଷି ଉପକୃତ ହୋଇଛନ୍ତି । ଜିଲ୍ଲାରେ ମାଛଚାଷ ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି । ମହିଳା ସ୍ୱୟଂସହାୟକଦଳଗୁଡିକୁ ମଧ୍ୟ ମାଛଚାଷରେ ସାମିଲ କରାଯାଇଛି । ଠିକ ସେହିପରି କୁକୁଡାଚାଷି,ଛେଳିଚାଷି ଓ ଗୋଚାଷିଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ଠିକ ସେହିପରି ଗ୍ରାମ୍ୟବିଦ୍ୟୁତକରଣ ଓ ଭିତ୍ତିଭୂମୀ ନିର୍ମାଣ ନେଇ କଳିକେଶ କରିଥିବା ପ୍ରଶ୍ନର ଉତ୍ତର ରଖି ଶକ୍ତିବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି ଯେ,ଗତ ୩ବର୍ଷ ମଧ୍ୟରେ ଜିଲ୍ଲାରେ ୨୮୦୨ଟି ନୂତନ ବିଦ୍ୟୁତସଂଯୋଗ କରାଯାଇଛି ଓ ଅନେକଗୁଡିଏ ଗ୍ରୀଡ ଓ ଅନ୍ୟାନ୍ୟ ଭିତ୍ତିଭୂମୀ ନିର୍ମାଣ କରାଯାଇଛି । ସମବାୟ ବିଭାଗର ପ୍ରାଥମିକ ସମବାୟସମିତିର ଭିତ୍ତିଭୂମୀ ନିର୍ମାଣ ନେଇ କଳିକେଶ କରିଥିବା ପ୍ରଶ୍ନରେ ସମବାୟ ବିଭାଗର ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ଉତ୍ତର ରଖିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାର ୫୦ଟି ପେକ୍ସକୁ ଗୋଦାମ,ଅଫିସଗୃହ ଇତ୍ୟାଦି ନିର୍ମାଣ ପାଇଁ ସରକାରୀ ଜମି ଦିଆଯାଇଥିବା ବେଳେ ୧୧୬ ପେକ୍ସର ଆବେଦନ ଉପରେ ବିଚାର ଚାଲିଛି । ଗତ ୨୦୨୩-୨୪ରେ ୧୩କୋଟି ଟଙ୍କା ଭିତ୍ତିଭୂମୀ ନିର୍ମାଣ ପାଇଁ ଦିଆଯାଇଥିବା ବେଳେ ୨୦୨୪-୨୫ରେ ୩ଟି ମୋଡେଲ ପେକ୍ସ ପାଇଁ ୪୦କୋଟି ଟଙ୍କାର ଅନୁଦାନ ଦିଆଯାଇଛି । କ୍ଷୁଦ୍ରଶୀଳ୍ପ ବିଭାଗ ଉପରେ ହୋଇଥିବା ପ୍ରଶ୍ନରେ ଏମଏସଏମଇ ମନ୍ତ୍ରୀ ଗୁକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି ଯେ,ଉଦ୍ୟମ ପୋର୍ଟାଲ ଜରିଆରେ ଜିଲ୍ଲାରେ ମୋଟ୨୬,୨୧୭ଟି ଲଘୁଉଦ୍ୟୋଗ ପଞ୍ଜିକୃତ ହୋଇଛନ୍ତି । ଏହିସବୁ ଉଦ୍ୟୋଗରେ ୨ଲକ୍ଷ୧୫ହଜାର୯୮୫ ଜଣ ଲୋକ ନିଯୁକ୍ତି ପାଇଛନ୍ତି । ବିଭିନ୍ନ ଯୋଜନାରେ ଲଘୁଉଦ୍ୟୋଗୀଙ୍କୁ ତାଲିମ ମଧ୍ୟ ଦିଆଯାଇ ଦକ୍ଷତାବୃଦ୍ଧି କରାଯାଉଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ