
ନୂଆପଡ଼ା,୨୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀବିଜ୍ଞାନ ବିଜ୍ଞାନର ସାମ୍ପ୍ରତିକ ପ୍ରଗତି ସ୍ୱାସ୍ଥ୍ୟ, ରୋଗ, ପରିବେଶ ଏବଂ ଜୀବବିବିଧତା ପାଇଁ ପ୍ରଭାବ” ଶୀର୍ଷକ ଆଲୋଚନା ଚକ୍ରକୁ ଆନୁଷ୍ଠାନିକ ଭାବରେ ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସାହୁ ଉଦଘାଟନ କରିଥିଲେ । ଆବାହକ ତଥା ବିଭାଗ ମୁଖ୍ୟ ଡଃ ସୁବାସ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରି ସେମିନାରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମ ବୈଷୟିକ ଅଧିବେଶନରେ ଯୁକ୍ତରାଷ୍ଟ୍ର ଆମେରିକାର ଶିକାଗୋର ଇଲିନଏ ବିଶ୍ୱବିଦ୍ୟାଳୟର ଡଃ ପ୍ରିୟଙ୍କା ମହାପାତ୍ର ଏବଂ ନୂଆଦିଲ୍ଲୀର ଆଇସିଜିଇବିର ଗ୍ରୁପ୍ ଲିଡର ଡଃ ରଞ୍ଜନ ନନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଦ୍ୱିତୀୟ ବୈଷୟିକ ଅଧିବେଶନରେ ଆଇସିଏମ୍ଆର-ଏନ୍ଆଇଭି ପୁନେର ଡଃ ପ୍ରଦୀପ୍ ବିଜୟ ବର୍ଦେ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଡଃ ସୁଶୀଲ କୁମାର ସାହୁ ଏବଂ ବୁର୍ଲାର ଭିଆଇଏମ୍ଏସ୍ଏଆରର ଡଃ ସତ୍ୟବ୍ରତ ମେହେର ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ସଂକ୍ରାମକ ରୋଗ, ଜୀବବିବିଧତା ଏବଂ ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ। ତୃତୀୟ ବୈଷୟିକ ଅଧିବେଶନରେ ମୁମ୍ବାଇର ଟେରାକନ୍ ଇକୋଟେକ୍ର ଡଃ ଅନ୍ତର୍ଯ୍ୟାମୀ ପ୍ରଧାନ, ସୋନପୁର ମଡେଲ୍ ଡିଗ୍ରୀ କଲେଜର ଡଃ ଦିଲ୍ଲୀପ କୁମାର ସାହୁ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡଃ ନିରିଉସ୍ ଜେନାନ୍ ଏକ୍କା ଜଳବାୟୁ ସମାଧାନ, ପରିବେଶ ସଂରକ୍ଷଣ ଏବଂ ଜୀବନ ବିଜ୍ଞାନର ସାମ୍ପ୍ରତିକ ପ୍ରଗତି ଉପରେ ଆଲୋକପାତ କରିଥିଲେ । ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଏ ଅଂଚଳର ଅନ୍ୟାନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ଗବେଷଣା କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହା ସହିତ ସର୍ବୋତ୍ତମ ପୋଷ୍ଟର ପ୍ରଦର୍ଶନୀକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଡଃ ଲିପିକା ପ୍ରିୟଦର୍ଶିନୀ ପାତ୍ର, ସୌମ୍ୟା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚୁମନ ଦଣ୍ଡସେନା, ଲିଙ୍ଗରାଜ ସାହୁ, ଆଦର୍ଶ ପ୍ରଧାନ, ହେମନ୍ତ ସଗରିଆ, ପ୍ରଶାନ୍ତ ସାହୁ, ଆଶିଷ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଡଃ ପ୍ରଦୀପ କୁମାର କାମିଲା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ