ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛ ଶକ୍ତି ଭିତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ ତ୍ୱ
ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ


ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛ ଶକ୍ତି ଭିତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଗ୍ୟାସ୍-ଭିତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଏବଂ ସହରାଂଚଳରେ ସ୍ୱଚ୍ଛ ତଥା ଦକ୍ଷ ଜାଳେଣିର ଉପଲବ୍ଧତା ବୃଦ୍ଧି କରିବା ସଂକଳ୍ପକୁ ଦୋହରାଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନୂତନ ନିର୍ଦ୍ଦେଶ ମୁତାବକ, ଭୂତଳ ପାଇପଲାଇନ ବିଛାଇବା ଏବଂ ଅନ୍ୟାନ୍ୟ ସିଜିଡି ଭିତିଭୂମି ନିର୍ମାଣ ପାଇଁ ସହରାଂଚଳ ସ୍ଥାନୀୟ ସଂସ୍ଥା ବା ୟୁଏଲବି ଗୁଡ଼ିକ କୌଣସି ଅନୁମତି ଶୁଳ୍କ ବା ପରମିଶନ ଫି ଆଦାୟ କରିବେ ନାହିଁ। ଏଥିସହିତ ଚାଲୁ ରହିଥିବା କିମ୍ବା ପୂର୍ବରୁ ମଞ୍ଜୁର ହୋଇଥିବା କାର୍ଯ୍ୟ ପାଇଁ କୌଣସି ନୂତନ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ, ଯାହାଦ୍ୱାରା ପ୍ରଶାସନିକ ବିଳମ୍ବ ଦୂର ହେବ ଏବଂ ପ୍ରକଳ୍ପ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିବ। ପ୍ରକଳ୍ପର ଅଗ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସମୟବଦ୍ଧ ଅନୁମୋଦନ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ଆବେଦନଗୁଡ଼ିକର ତୁରନ୍ତ ଫଏସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସିଜିଡି ପ୍ରକଳ୍ପ କାର୍ଯ୍ୟକୁ ବାଧାମୁକ୍ତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ରାଜପଥ ବା ରାସ୍ତା ଖୋଳିବା ଉପରେ ଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି।

କାର୍ଯ୍ୟକାରିତାକୁ ସହଜ କରିବା ସହିତ ଏହି ପ୍ରକ୍ରିୟାରେ ଉତରଦାୟିତ୍ୱକୁ ମଧ୍ୟ ନିଶ୍ଚିତ କରାଯାଇଛି। ସମ୍ପୃକ୍ତ ସିଜିଡି ସଂସ୍ଥାଗୁଡ଼ିକ ନିଜ ଖର୍ଚ୍ଚରେ ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ରାସ୍ତା ଓ ଅନ୍ୟାନ୍ୟ ଭିତିଭୂମିର ପୁନରୁଦ୍ଧାର ବା ରେଷ୍ଟୋରେସନ କରିବାକୁ ବାଧ୍ୟ ରହିବେ। ରାଜ୍ୟରେ ସିଜିଡି ସମ୍ପର୍କିତ କାର୍ଯ୍ୟର ସମନ୍ୱୟ ଏବଂ ଅନୁଧ୍ୟାନ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ପୂର୍ତ ବିଭାଗ, ଜଳସମ୍ପଦ, ଶକ୍ତି ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ଆଗାମୀ ଜୁନ୍ ୩୦, ୨୦୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତର ରହିବ। ଏହି ପଦକ୍ଷେପ ଓଡ଼ିଶାରେ ପିଏନଜି ସଂଯୋଗକୁ ବଢ଼ାଇବା ସହ ଏକ ସ୍ଥାୟୀ ଏବଂ ଶକ୍ତି-ଦକ୍ଷ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande