ଆଗଲପୁର ବ୍ଲକ ଅଙ୍ଗନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ: ମାତିଛନ୍ତି ବାଲିଚୋର
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହିଯାଇଥିବା ଅଙ୍ଗନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ କ୍ରମଶଃ ବଢ଼ିବାରେ ଲାଗିଛି। ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ନଦୀରେ ଜଳଧାରା ବହୁଥିବା ବେଳେ ଗତ କିଛି ବର୍ଷ ହେଲା ବର୍ଷାଦିନ ବ୍ୟତିତ ବାକି ସମୟ ନଦୀଟି ଶୁଖିଲା ରହୁଛି
ଆଗଲପୁର ବ୍ଲକ  ଅଙ୍ଗନଦୀରେ ବାଲି ମାଫିଆ  ଙ୍କ ପ୍ରାଦୁର୍ଭାବ:    ମାତିଛନ୍ତି ବାଲିଚୋର


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହିଯାଇଥିବା ଅଙ୍ଗନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ କ୍ରମଶଃ ବଢ଼ିବାରେ ଲାଗିଛି। ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ନଦୀରେ ଜଳଧାରା ବହୁଥିବା ବେଳେ ଗତ କିଛି ବର୍ଷ ହେଲା ବର୍ଷାଦିନ ବ୍ୟତିତ ବାକି ସମୟ ନଦୀଟି ଶୁଖିଲା ରହୁଛି। ଅବିରତ ବାଲି ଚାଲାଣ ଯୋଗୁଁ ଅଙ୍ଗନଦୀ ତାର ଅସ୍ତିତ୍ୱ ହରାଇବାରେ ଲାଗିଛି। ପ୍ରଶାସନର ଉଦାସୀନତା ଯୋଗୁଁ ବେଫିକର ଭାବେ ବାଲି ମାଫିଆ ସେମାନଙ୍କ କାରବାର ଜାରି ରଖିଥିବା ଦେଖିବାକୁ ମିଳିଛି। ଆଗଲପୁର ବ୍ଲକ ଡୁଡୁକା-ଚୂର୍ଣ୍ଣିମୁହାଣ ଠାରେ ବେଆଇନ ଭାବେ ବାଲିଘାଟ ତିଆରି କରାଯାଇ ବାଲି ଚାଲାଣ ହେଉଛି। ନଦୀଶଯ୍ୟାରେ ହୋମ ପାଇପ ପକାଯାଇ ବାଲିଘାଟକୁ ରାସ୍ତା ତିଆରି କରାଯାଇଛି। ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଜଳସେଚନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିନା ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏପରିକି ରୟତି ଜମିରେ ବାଲିଘାଟକୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଜମି ମାଲିକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନୁଚିତ ଅନୁଗ୍ରହ ଲାଭ ପୂର୍ବକ କିଛି ଖଣି ବିଭାଗ କର୍ମଚାରୀ ବାଲି ମାଫିଆଙ୍କୁ ପ୍ରଶୟ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବାଲିଘାଟ ଉପରେ ଚଢ଼ାଉ ପୂର୍ବରୁ ଖଣି ବିଭାଗ କର୍ମଚାରୀଙ୍କ ଜରିଆରେ ବାଲି ମାଫିଆଙ୍କ ନିକଟରେ ଖବର ପହଂଚି ଯାଉଛି। ଆଉ ଏପଟେ ଚଢାଉରେ କିଛି ମିଳି ନ ଥିବା ଖଣି ଅଧିକାରୀ କହୁଛନ୍ତି। ବେଆଇନ ଭାବେ କିଛି ବାଲି ମାଫିଆ ଡୁଡୁକା- ଉପରବାହାଲ ଅଂଚଳରେ ହଜାର ହଜାର ଟ୍ରିପ୍ ବାଲି ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି। ଖଣି ବିଭାଗ ପକ୍ଷରୁ ସେଠାରେ ସ୍ପଟ୍ ଅକ୍ସନ କରାଯାଇ ନାମକୁ ମାତ୍ର ଜରିମାନା ଆଦାୟ ହେଉଛି। ପ୍ରକୃତରେ ନଦୀଗର୍ଭରୁ ପ୍ରତିଦିନ ହାଇୱାରେ ବାଲି ଚାଲାଣ ହେଉଛି । ସେହିପରି ମୂରସୁଣ୍ଡ ଠାରେ ବେଆଇନ ଭାବେ ବାଲିଘାଟ ତିଆରି କରାଯାଇ ଟ୍ରାକ୍ଟର ଯୋଗେ ପ୍ରତ୍ୟହ ବାଲି ଚୋରା ଚାଲାଣ ହେଉଛି। ସରକାରୀ ଦଳର ଜନୈକ କୁଜିନେତାଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଏଠାରେ ବାଲି ଚାଲାଣ ହେଉଥିବା ଜାଣିବାକୁ ମିଳିଛି। ଫଳରେ ପୋଲିସ ତଥା ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଂଚା ଦେଉଥିବା ଜଣାଯାଇଛି। ଗୋଟିଏ ଟ୍ରାନଜିଟ ପାସ ବ୍ୟବହାର କରାଯାଇ ଏକାଧିକ ଟ୍ରିପ ବାଲି ଚାଲାଣ ହେଉଥିବାରୁ ସରକାରୀ ରାଜସ୍ୱ ହାନି ହେଉଛି। ବାଲି ମାଫିଆ, ଖଣି ଅଧିକାରୀ ତଥା ସ୍ଥାନୀୟ ପୋଲିସର ମିଳିତ ସଲାସୁତୁରାରେ ଚାଲିଥିବା ବାଲିର ଏହି ଚୋରା ଚାଲାଣରେ କେବେ ପୂର୍ଣ୍ଣଚ୍ଛେଦ ପଡୁଛି, ଦେଖିବାକୁ ବାକି ରହିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande