


ସମ୍ବଲପୁର,୨୫, ମାର୍ଚ୍ଚ (ହି.ସ.) - ରାଜ୍ୟ ସରକାରଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସମ୍ବଲପୁର ଜିଲ୍ଲାର ନୋଡାଲ ସେକ୍ରେଟାରୀ ବିଶାଳ କୁମାର ଦେବ ସମ୍ବଲପୁର ଜିଲ୍ଲା ଗସ୍ତ କରି ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ପରିସରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ଗୁଡ଼ିକର କ୍ଷେତ୍ରସ୍ତରୀୟ ସ୍ଥିତି ଓ ଏହାର ସୁଫଳ ଯେପରି ସାଧାରଣ ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସମସ୍ତ ନିର୍ମାଣଧୀନ ଉନ୍ନୟନ ମୂଳକ ପ୍ରକଳ୍ପକୁ ତ୍ଵରାନିତ୍ଵ କରି ସମୟସୀମା ଭିତରେ ସାରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେବ କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଲେ। ପାନୀୟ ଜଳ ଓ ପରିମଳ ର ଜିଲ୍ଲାର ପ୍ରତିଟି ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଶିକ୍ଷଣ ଫଳାଫଳ ବୃଦ୍ଧି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାସହ ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଏବଂ ଆଇସିଡିଏସ୍ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲେ । ସେତୁ ବନ୍ଧନ ଯୋଜନା ଏବଂ ଜିଲ୍ଲାର ଗ୍ରାମୀଣ ବୈଦ୍ୟୁତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଟିପିଡ୍ଲୁଓଡିଏଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ