
ଧର୍ମଶାଳା, ୨୮ ମାର୍ଚ୍ଚ (ହି.ସ.)- ଯାଜପୁର ଜିଲା ବ୍ରହ୍ମବରଦା ଥାନା ହାଜତ ପରିସରରୁ ଆଜି ଭୋର ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ଯାହାକି ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏକ ଚୋରି ମାମଲାରେ ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ଚାନ୍ଦମୋହିନୀ ଗ୍ରାମର ଅଶୋକ ବେହେରାଙ୍କ ପୁଅ ଆଶିଷ(୨୩)ଙ୍କୁ ବ୍ରହ୍ମବରଦା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରି ଥାନା ହାଜତରେ ରଖିଥିଲା । ତେବେ ଆଜି ଭୋର ସମୟରେ ପୁଲିସ କର୍ମଚାରୀ ଶୋଇ ପଡିବା ପରେ ଆଶିଷ କୌଶଳ କ୍ରମେ ହାଜତ ଲକର ଓ ଗେଟର ତାଲା ଖୋଲି ଫେରାର ହୋଇଯାଇଥିଲା । ଆଶିଷ ପରେ ବ୍ରହ୍ମବରଦା ଗ୍ରାମ ଭିତରକୁ ଚାଲି ଯାଇ ରାଜୀବ ରାଉତଙ୍କ ଏକ ହିରୋ ବାଇକ ନମ୍ବର(ଓଡି୦୪ଏସ୍୦୭୭୯)ର ତାଲା ଭାଙ୍ଗି ଗାଡିକୁ ଷ୍ଟାର୍ଟ କରି ନେଇ ପଳାଇ ଯାଇଥିଲେ । ତେବେ ଆଶିଷ ସାମନ୍ତରାପୁର ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେଠାରେ ୧୦୮ ଆମ୍ବୁଲାନ୍ସରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ପିତା ଅଶୋକ କଟକ ମେଡିକାଲକୁ ପୁଅକୁ ନେବାକୁ କହି ଅଟୋରେ ବସାଇ ନେଇ ପଳାଇ ଥିଲେ । ଖବର ପାଇ ବ୍ରହ୍ମବରଦା ପୁଲିସ ପ୍ରଥମେ ଦୁର୍ଘଟଣାସ୍ଥଳ ଓ ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଂହଚିବା ପୂର୍ବରୁ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା । ପୁଲିସ ଚୋରି ବାଇକକୁ ଜବତ କରିଥିଲା । ସେପଟେ ବ୍ରହ୍ମବରଦା ଗ୍ରାମର ରାଜୀବ ରାଉତ ତାଙ୍କ ବାଇକ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଖବର ପାଇ ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ବ୍ରହ୍ମବରଦା ଥାନାରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିସି କ୍ୟାମେରା ଫୁଟେଜ୍ ଆଧାରରେ ତଦନ୍ତ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମଲଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଶ୍ରୀ ପାତ୍ରଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମଲ ଏହି ଘଟଣାରେ କର୍ତବ୍ୟରେ ଅବହେଳା ପାଇଁ ଏଏସ୍ଆଇ ଅଚ୍ୟୁତାନନ୍ଦ ଦାସ, କନେଷ୍ଟବଳ ବିଦ୍ୟାପତି ପଲେଇ ଓ ସନ୍ତୋଷ କୁମାର ସାହୁଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି ।
ସୂଚନା ଥାଉକି, ଗତ ସେପ୍ଟେମ୍ବର ମାସ ୨୭ା୯ା୨୦୨୫ ମସିହାରେ ରାଉତରାପୁର ପଂଚାୟତ ଅନ୍ତର୍ଗତ କୁଣ୍ଡପାଟଣାସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନବୈଦ୍ୟୁତିକ ଓ ମେଡିକାଲର ଅତ୍ୟାବଶ୍ୟକୀୟ ସାରଞ୍ଜମ ଚୋରି ହୋଇଥିଲା । ଯାହାକୁ ନେଇ ସ୍ୱାସ୍ଥ୍ୟ କର୍ମଚାରୀ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ମାମଲରେ କେସ୍ ନମ୍ବର ୨୩୨ା୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । କିଛି ଦିନ ପୂର୍ବରୁ ଏହି ଘଟଣାରେ ଜଡିତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ କିଛି ଚୋରି ସାମଗ୍ରୀ ଜବତ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ସେହି ଦିନଠାରୁ ଫେରାର ଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ କୁଣ୍ଡପାଟଣା ଅଂଚଳରୁ ଆଶିଷକୁ ଧରିବା ସହିତ ଥାନା ହାଜତରେ ଅଟକ ରଖିଥିଲା । ତେବେ ଭୋର ସମୟରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ଶୋଇ ପଡିବାରୁ ଏହାର ସୁଯୋଗ ନେଇ ଆଶିଷ କୌଶଳ କ୍ରମେ ଥାନାରେ ଜବତ ହୋଇଥିବା ନିଜର ମୋବାଇଲକୁ ନେଇ ଚମ୍ପଟ ମାରିଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ