
କେନ୍ଦୁଝର, ୨୮ ମାର୍ଚ୍ଚ (ହି.ସ.)- ଆଜି କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ଆଜି ସକାଳୁ ଶାନ୍ତି ଶୃଙ୍ଖଳା ସହ ସମସ୍ତ ସଦସ୍ୟ ଭୋଟ ଦାନ କରିଥିବା ବେଳେ ସଂଧ୍ୟାରେ ଗଣତି ହୋଇଥଲା। ତିନି ଥର ବିଜୟୀ ହୋଇଥିବା ଆଲୋକ ମହାନ୍ତ ଚଳିତ ବର୍ଷ ମଧ୍ୟ ୨୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବସନ୍ତ ବେହେରା ୧୯୨ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଉପ ସଭାପତି ପଦ ପାଇଁ ଦୁଇ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ତୁଷାର ସାମନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଏମ୍ ଡି ସହବୁଡ଼ିନ ଅଖତରଙ୍କୁ ୧୪ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ସମ୍ପାଦକ ପଦ ପାଇଁ ତ୍ରିମୂଖୀ ଲଢ଼େଇ ହୋଇଥିବା ବେଳେ ଅନ୍ତର୍ଯ୍ୟାମୀ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅକ୍ଷୟ ଜେନାଙ୍କୁ ୧୫ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ସେହିପରି ସହ ସମ୍ପାଦକରେ ତିନି ଥରର ବିଜୟୀ ତାରିଣୀ ପ୍ରସାଦ ପୋଥାଳ ୨୦୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଆଉ ଏକ ସହ ସମ୍ପାଦକ ପଦ ପାଇଁ ଦେବାଶିଷ ପତି ୨୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। କାର୍ଯ୍ୟକାରୀ ସଦସ୍ୟ ଭାବେ ଅନୀଲ ଦେହୁରୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲା ବେଳେ ଆଉ ଚାରି ପଦ ପାଇଁ କେହିବି ଲଢ଼ି ନଥିଲେ।
ସଂପୂର୍ଣ୍ଣ ନିର୍ବାଚନକୁ ବରିଷ୍ଠ ଓକିଲ ରାଜେଶ ରଣା ନିର୍ଵାଚନ ଅଧିକାରୀ ଭାବରେ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA