
କେନ୍ଦ୍ରାପଡ଼ା,୩୦ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା–୨୦୨୬ର ଷଷ୍ଠ ସନ୍ଧ୍ୟା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଅତ୍ୟନ୍ତ ଆକର୍ଷଣୀୟ ଓ ମନମୁଗ୍ଧମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ଓ କମେଡିର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ମଂଚ ଉତ୍ସବମୁଖର ହୋଇଉଠିଥିଲା। ପ୍ରସିଦ୍ଧ ଗାୟିକା ଅନ୍ୟନ୍ୟା ଶ୍ରୀତମ ନନ୍ଦଙ୍କ ସୁମଧୁର ସଙ୍ଗୀତ ପ୍ରସ୍ତୁତି ଦର୍ଶକମାନଙ୍କୁ ମନମୋହିତ କରିଥିବା ବେଳେ, କମେଡିଆନ ଜ୍ଞାନ ବାରିକ(ନାଲି ଆମ୍ବ)ଙ୍କ ହାସ୍ୟରସାତ୍ମକ ପରିବେଷଣ ମଂଚକୁ ଆହୁରି ସଜୀବ ଓ ଆକର୍ଷକ କରିଥିଲା। ଏହି ସନ୍ଧ୍ୟାରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର ଓ ଉପନିର୍ଦ୍ଦେଶକ(ହସ୍ତଶିଳ୍ପ) ସନ୍ତୋଷ କୁମାର ମହାନ୍ତି ଯୋଗଦେଇଥିଲେ। ଅତିଥିମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତା ଓ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହାସହିତ “ଲକ୍ଷପତି ଦିଦି” ପ୍ରୟାସ ଅଧୀନରେ ସଫଳତା କାହାଣୀ ଉପସ୍ଥାପିତ ହୋଇଥିଲା। ପଟ୍ଟାମୁଣ୍ଡାଇ ବ୍ଲକର ସୁଶ୍ରୀ ସଂଗୀତା ପ୍ରଧାନ(‘ଶ୍ରଦ୍ଧା ସୁମନ’ ଉତ୍ପାଦକ ଗୋଷ୍ଠୀ – ଅଗରବତୀ ପ୍ରସ୍ତୁତି), କେନ୍ଦ୍ରାପଡ଼ା ବ୍ଲକର ପାର୍ବତୀ ସ୍ୱାଇଁ(ମାରୁତି ସ୍ୱୟଂ ସହାୟକ ଗୋଷ୍ଠୀ – କାଇଁଚ ସାମଗ୍ରୀ ତିଆରି) ଓ ରାଜନଗର ବ୍ଲକର ସଂଯୁକ୍ତା ମାନା(ମା ତାରା ସ୍ୱୟଂ ସହାୟକ ଗୋଷ୍ଠୀ – ସମନ୍ୱିତ କୃଷି) ତାଙ୍କ ଅନୁଭବ ଓ ସଫଳତାର କାହାଣୀ ଅଂଶୀଦାର କରିଥିଲେ, ଯାହା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା।ମେଳା ପରିସରରେ ଦର୍ଶକମାନଙ୍କର ବିପୁଳ ଭିଡ଼ ସହ ସମଗ୍ର ପରିବେଶ ଉତ୍ସବମୟ ହୋଇ ଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି