
ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ସମ୍ଭାବନା ସାହିତ୍ୟ ସଂସଦ ଆନୁକୁଲ୍ୟରେ ୟୁବିଆଇ ର ଅବସରପ୍ରାପ୍ତ ଏ.ଜି.ଏମ୍ ମଦନ ମୋହନ ମହାକୁଡଙ୍କର “ବିନ୍ଦୁଏ ବ୍ୟତିକ୍ରମ” ଗଳ୍ପ ପୁସ୍ତକ ମୁଖ୍ୟ ଅତିଥି ପ୍ର. ଡ. ବ୍ରଜମୋହନ ମିଶ୍ରଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନ ଠାରେ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ପୁସ୍ତକର ସମୀକ୍ଷା କରିଥିଲେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ନାୟକ, ବି.ଏନ.ଏମ୍ ପାଳିଆ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ଅଧ୍ୟାପକ ଡ. ବିଶ୍ୱ ରଞ୍ଜନ ଦାସ, ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ଅଧ୍ୟାପକ ଡ. ଅଭୟ ଦାସ। ସଭାରେ ଅଧ୍ୟକ୍ଷତା କରିଥିଲେ ସମ୍ଭାବନା ସାହିତ୍ୟ ସଂସଦର ସଭାପତି ପ୍ର. ଡ. ଅଟଳ ବିହାରୀ ନାୟକ, ମଂଚ ପରିଚାଳନା କରିଥିଲେ ସମ୍ପାଦକ ଋତୁରାଜ ଅକ୍ଷୟ। ମଂଚ ଆହ୍ୱାନ କରିଥିଲେ କବୟିତ୍ରୀ ସଂଯୁକ୍ତା ବଳ ନାୟକ। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ତିହିଡି ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପିକା ଉଷାରାଣୀ ଜେନା। ପୁସ୍ତକ ସମ୍ବନ୍ଧୀୟ ଲେଖକୀୟ ମନ୍ତବ୍ୟ ରଖିଥିଲେ କଥାକାର ମଦନ ମୋହନ ମହାକୁଡ। ଇତ୍ୟବସରରେ ସମ୍ଭାବନା ସାହିତ୍ୟ ସଂସଦର ଦୁଇ ନୂତନ ସଦସ୍ୟ କବୟିତ୍ରୀ ସାବିତ୍ରୀ ସେଠୀ ଓ ଆଡଭୋକେଟ୍ କୃତିଦୀପା କରଙ୍କୁ ମୁଖ୍ୟଅତିଥି ପ୍ର. ଡ. ବ୍ରଜମୋହନ ମିଶ୍ର ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ପ୍ର. ଡ. ବ୍ରଜମୋହନ ମିଶ୍ର ନିଜର ଛାତ୍ର ଶ୍ରଦ୍ଧେୟ ମଦନ ମୋହନ ମହାକୁଡଙ୍କର ପୁସ୍ତକ ସମ୍ବନ୍ଧୀୟ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଅଧ୍ୟାପିକା ଦେବସ୍ମିତା ମିଶ୍ର ପାଣିଗ୍ରାହୀ। ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସହଯୋଗୀ ସମ୍ପାଦକ ଯୁବ ଗୀତିକାର ଅରୁପାନନ୍ଦ ନାୟକ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ