
ବଲାଙ୍ଗିର, ୩୦ ମାର୍ଚ୍ଚ (ହି.ସ.)- ରାଷ୍ଟ୍ରୀୟ ପଛୁଆ ବର୍ଗ ଏବଂ ଭାରତ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ତରଫରୁ ଓବିସି ଏସସି ଏସଟି ମିଳିତ ମଂଚର ସଂଯୋଜକ ସରୋଜ କୁମାର ମେଶ୍ୱା ଙ୍କ ସଭାପତିତ୍ୱରେ ଆଜି ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବଲାଙ୍ଗିର ଟାଉନ ହଲରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା ଏହି ଶୋଭାଯାତ୍ରା ରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ଓବିସି ମଂଚ କୋଷାଧ୍ୟକ୍ଷ ପରଦେଶି ବିଶ୍ୱାଲ ତାଙ୍କ ବକ୍ତବ୍ୟରେ ୟୁଜିସି ବିଲ୍ ୨୦୨୬ ରୁ ତୁରନ୍ତ ଲାଗୁ କରିବା ଏବଂ ୨୦୨୭ ଜନଗଣନାରେ ଓବିସି ବର୍ଗର ସଠିକ୍ ଜନଗଣନା କରିବାକୁ ଦାବି କରିଛନ୍ତି । ଜନଗଣନା ଫର୍ଦ୍ଦର ୧୨ ନଂ. କଲମରେ ଓବିସି ସ୍ଥାନରେ କେବଳ ଅନ୍ୟାନ୍ୟ ଲେଖାଯିବାକୁ ନିଷ୍ପତ୍ତି ନେଇ ସରକାର ଓବିସି ଜନସାଧାରଣ ଙ୍କ ସହିତ ପ୍ରତାରଣା କରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ୮ ଦଫା ଦାବି ସମ୍ମଳିତ ଦାବିପତ୍ରରେ ୟୁଜିସି ବିଲ ୨୦୨୬ କୁ ଲାଗୁ କରିବା, ଜାତି ଜନଗଣନାରେ ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗର ଗଣନା କରିବା, ବିଶ୍ୱ ବିଦ୍ୟାଳୟମାନଙ୍କରେ ଏସ୍ସି ଏସ୍ଟି ଓ ପଛୁଆ ବର୍ଗର ଅଧ୍ୟାପକ ନିଯୁକ୍ତି ପୁରଣ କରିବା, ସାମାଜିକ ସୁରକ୍ଷା ଭତ୍ତା ଏବଂ କଳାକାର ସହାୟତା ଭତ୍ତା ୭ହଜାର ଟଙ୍କାକୁ ବୃଦ୍ଧି କରିବା, ସମାନୁପାତିକ ଆଧାରରେ ରାଜନୀତିରେ ପ୍ରତିନିଧିତ୍ୱ ବ୍ୟବସ୍ଥା କରିବା, ଇଭିଏମ୍ ଜାଲିଆତି ରୋକିବା, ମାଗଣା ବିଜୁଳି ଯୋଗାଇ ଦେବା, ଜମିହୀନଙ୍କୁ ଜମି ଯୋଗାଇ ଦେବା ଇତ୍ୟାଦି ଦାବିରେ ବକ୍ତାମାନେ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ । ଦେଶକୁ ଦୁର୍ନିତିମୁକ୍ତା ପାଇଁ ଆଉ ଏକ ଆନ୍ଦୋଳନ ଆବଶ୍ୟକତା ଅଛି ବୋଲି ମଂଚ ସଂଯୋଜକ ସରୋଜ କୁମାର ମେଶ୍ୱା ତାଙ୍କ ବକ୍ତବ୍ୟରେ ବର୍ଷିଥିଲେ ।
ଏହି ଆୟୋଜନରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସାମାଜିକ ସଂଗଠନ ଭୀମ ଆର୍ମି ଜୟ ଭୀମ ସଂଗଠନ ସଭାପତି ଅଚ୍ୟୁତ କୁମ୍ଭାର, ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ଲଳିତ ମହାନନ୍ଦ, ସନ୍ତୋଷ ଛାତ୍ରିଆ, ଏସ୍ସି ଏସ୍ଟି ଓବିସି ସମନ୍ୱୟ ସଭାପତି ଦ୍ୱିଜ ଦଳପତି, ରାଜେନ୍ଦ୍ର ସୁନା, ସନାତନ ଦୀପ, ସସ୍ମିତା ମେହେର, ସୁବାଷିନୀ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସଂଜୟ ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ବାଗ, ଭକ୍ତ ଛତ୍ରିଆ ତଥା ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ ଏବଂ ଜିଲ୍ଲାପାଳ ବଲାଙ୍ଗିରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ