
ପୁରୀ, ୩୦ ମାର୍ଚ୍ଚ (ହି.ସ.)- ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଚାରିପଟ ପାରା, ଶୁଆ ଓ ମାଙ୍କଡ ଡିଆଁ ଦେଖି ଭକ୍ତ ଆନନ୍ଦିତ ହେଉଥିଲେ । ପାରା, ମାଙ୍କଡ ଥିଲାବେଳେ ମନ୍ଦିର ଚାରିପଟେ ଶୁଆ ଉଡିବା ଦୃଶ୍ଯ ମାନ ହେଉନାହିଁ । କୋଇଲି ବୈକୁଣ୍ଠ, ନୀଳାଚଳ ଉପବନ ଅନେକ ଗଛ ରହିଥିଲା । ଯାହାର କଅଁଳ ପତ୍ରକୁ ଖାଇ ଶୁଆ ମାନେ ବଞ୍ଚୁଥିଲେ । ମନ୍ଦିର ଚାରିପଟେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ହେବା, ଉଚ୍ଚ ଶକ୍ତି ସମ୍ପନ୍ନ ଭାଇଭ୍ରେଟ ମେସିନ ବ୍ଯବହାର, ମନ୍ଦିର ଚାରିପଟେ ଉଚ୍ଚ ଅଟ୍ଟାଳିକା ଭଙ୍ଗା ହେବା ଶଦ୍ଦ ଯୋଗୁ ଓ ଶ୍ରୀମନ୍ଦିର ଚାରିପଟେ ଅନେକ ବୃକ୍ଷ ଲୋପ ପାଇବାରୁ ଶୁଆ ମାନେ ଶ୍ରୀକ୍ଷେତ୍ର ଛାଡି ଦୂରକୁ ଉଡିଯାଇଥିବା ଦେଖାଯାଇଛି । ନିର୍ମାଲ୍ଯ ଖଳାରେ ଶୁଖିଲା ନିର୍ମାଲ୍ଯ ଶୁଆ ଖୁମ୍ପି ଖାଇବା ଆଉ ନଜର ପଡୁନାହିଁ । ଶ୍ରୀମନ୍ଦିରରେ ରସାୟନିକ ପ୍ରଲେପ ଦିଆଯିବା ଯୋଗୁ ଏହି ବାସ୍ନାରେ ଶୁଆ ମାନେ ଆଉ ବସୁନଥିବା କୁହାଯାଉଛି । ନୀଳପର୍ବତରେ ନୀଳ ଶୁଆଙ୍କୁ ଦେଖିଲେ ଭକ୍ତ ଆନନ୍ଦିତ ହେଉଥିଲେ । କୋଇଲି ବୈକୁଣ୍ଠରେ ଶହ ଶହ ଶୁଆଙ୍କ ରାବ ଓ କୋଳାହଳ ଆଉ ଶୁଣିବାକୁ ମିଳୁନାହିଁ । ବହୁବର୍ଷ ପୂର୍ବରୁ ଶୁଆ ମାନେ ପୁରୁଣା ସିମେଣ୍ଟ ପ୍ରଲେପ ବଡ ଦେଉଳ ଉପରେ ରାତ୍ରିଯାପନ କରୁଥିଲେ । ଏବେ ବଡ ଦେଉଳରେ ହାଲୋଜିନ ଲାଇଟ ଯୋଗୁ ଶୁଆ ରହୁନାହାନ୍ତି । ମନ୍ଦିର ଚାରିପଟେ ଓ ବିଭିନ୍ନ ସାହିରେ ପିଜୁଳି ଗଛ ଥିବାବେଳେ ଏବେ ପିଜୁଳି ଗଛ ସଂଖ୍ୟା ହ୍ରାସ ପାଇବାରୁ ଶୁଆ ଆଉ ଖାଦ୍ଯ ପାଇଲେ ନାହିଁ । ମନ୍ଦିରରେ ଶୁଆ ଦର୍ଶନ କଲେ ବିଭିନ୍ନ କାର୍ଯ୍ୟରେ ଶୁଭ ହୋଇଥାଏ ବୋଲି ଭକ୍ତ ମାନଙ୍କ ମନରେ ବିଶ୍ୱାସ ରହିଥିଲା । ମନ୍ଦିର ଚାରିପଟେ ଡ୍ରୋନ ଉଡିବା, ଉଡାଜାହାଜ, ହେଲିକପ୍ଟର ପ୍ରଚଣ୍ଡ ଶଦ୍ଦ ଯୋଗୁ ଶୁଆ ମାନଙ୍କ ଦେଖା ମିଳୁନି ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ