ଝାରସୁଗୁଡ଼ାରେ ବିଜେଡିର ବିକ୍ଷୋଭ : ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ
Agitation by bjd jharsuguda
ଝାରସୁଗୁଡ଼ାରେ ବିଜେଡିର ବିକ୍ଷୋଭ : ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ


ଝାରସୁଗୁଡ଼ା, ୩୧ ମାର୍ଚ୍ଚ (ହି.ସ.)- ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ଝାରସୁଗୁଡ଼ା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେଡି, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିଜେଡି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରତିବାଦ ସ୍ୱରୂପ କର୍ମୀମାନେ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କର ତତ୍କ୍ଷଣାତ୍ ଇସ୍ତଫା ଦାବି କରିଥିଲେ। ଏହି ଅବସରରେ ଦିପାଳୀ ଦାସ କହିଥିଲେ ଯେ, ବିଜେପି ନେତାମାନେ ଦିନକୁ ଦିନ ହୀନ ରାଜନୀତିରେ ଲିପ୍ତ ହେଉଛନ୍ତି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏପରି ଅସମ୍ମାନ କରିବା ମାନେ ସମଗ୍ର ଓଡ଼ିଶା ଓ ଓଡ଼ିଆ ଜାତିକୁ ଅପମାନ କରିବା ସହ ସମାନ ବୋଲି ସେ ଅଭିଯୋଗ କରିଥିଲେ। ସେ ଆହୁରି ସଚେତନ କରିଥିଲେ ଯେ, ଯଦି ନିଶିକାନ୍ତ ଦୁବେ ଶୀଘ୍ର କ୍ଷମା ପ୍ରାର୍ଥନା କରିବେନି ଓ ଇସ୍ତଫା ଦେବେନି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

ଏହି ବିକ୍ଷୋଭରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଯୁବ ବିଜେଡି ସଭାପତି ରୋବିନ ପାଣ୍ଡେ, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପୌରାଧ୍ୟକ୍ଷା ରାନୀ ହାତୀ, ବରିଷ୍ଠ ନେତା ରବି ସିଂହ ସହିତ ସନ୍ଦିପ ଅୱସ୍ତି, ରଘୁମଣି ପଟେଲ, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ, ଦାମୋଦର ନାଥ, ପବନ ଶର୍ମା, ସୁବାସ କେଡ଼ିଆ, ଶିବାଶିଷ ପଟ୍ଟନାୟକ, ନବନୀତ କୌର, ବି. ନାଗେଶ୍ୱରୀ, ଦୀପା ନାଏକ ଓ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande