
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ସୁନିୟନ୍ତ୍ରିତ ଓ ସ୍ଥାୟୀ ସହରୀକରଣର ଭିତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଖାରବେଳ ଭବନଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଂଚଳ ଜମି ପରିଚାଳନା ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 'ବିକଶିତ ଓଡ଼ିଶା' ଗଠନ ଦିଗରେ ଜମି ଏକ ରଣନୈତିକ ସମ୍ବଳ ଭାବେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବ, ସେ ନେଇ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଧିକାରୀ ହରିବଲ୍ଲଭ ମିଶ୍ର ନିଜର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଆଧାରରେ ସହରାଂଚଳ ଜମି ପରିଚାଳନାର ଆଇନଗତ, ପ୍ରଶାସନିକ ଏବଂ ନୀତିଗତ ଦିଗଗୁଡ଼ିକ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଇଡ୍କୋର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ତଥା ସ୍ଥାୟୀ ସହର ଗଠନ କରିବା ଏବଂ 'ବିକଶିତ ଓଡ଼ିଶା'ର ସ୍ୱପ୍ନ ସାକାର କରିବା ପାଇଁ ସୁଚିନ୍ତିତ ଓ ରଣନୈତିକ ଜମି ପରିଚାଳନା ଅପରିହାର୍ଯ୍ୟ। ସହରାଂଚଳର ଜମି ସମ୍ପତିକୁ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରିବା ପାଇଁ ବିଭିନ୍ନ ଶ୍ରେଣୀର ଜମି, ନିୟାମକ ବ୍ୟବସ୍ଥା ଏବଂ 'ଲ୍ୟାଣ୍ଡ ଭାଲ୍ୟୁ କ୍ୟାପଚର' ଭଳି ଅଭିନବ କୌଶଳ ବିଷୟରେ ଗଭୀର ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।
ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ଓଡ଼ିଶାରେ ଥିବା ବିଭିନ୍ନ ବର୍ଗର ଜମି ଯଥା— ନଜୁଲ, ଖାସମହଲ, ସରକାରୀ ଖାସ ଦଖଲ (ଜିକେପିବି) ଏବଂ ଲିଜ୍ ହୋଲ୍ଡ ମାମଲାଗୁଡ଼ିକର ସର୍ବୋତମ ବିନିଯୋଗ ଉପରେ ଏହି ଅଧିବେଶନରେ ଆଲୋଚନା ହୋଇଥିଲା।
ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସମସ୍ତ ଅତିରିକ୍ତ ସଚିବ ଏବଂ ବିଭାଗର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ରାଜସ୍ୱ ଓ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ଆଭାସୀ ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶ୍ରୀ ମିଶ୍ର ଜମି ପରିଚାଳନାର ଆଇନଗତ ଓ ପ୍ରଶାସନିକ ଦିଗ ଉପରେ ବାସ୍ତବବାଦୀ ଅଭିଜ୍ଞତା ବାଂଟିବା ସହ ପୁରାତନ ଜମି ବର୍ଗୀକରଣରେ ସ୍ପଷ୍ଟତା ଏବଂ ପରିବର୍ତିତ ନୀତିଗତ ଢାଂଚା ଉପରେ ଜୋର ଦେଇଥିଲେ।
ଏହି ଆଲୋଚନାଚକ୍ରରେ 'ଲ୍ୟାଣ୍ଡ ଭାଲ୍ୟୁ କ୍ୟାପଚର'କୁ ସହରାଂଚଳ ଭିତିଭୂମି ପାଇଁ ଏକ ସ୍ଥାୟୀ ଆର୍ôଥକ ସମ୍ବଳ ଭାବେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ମାଧ୍ୟମରେ ଜମି ସମ୍ବଳର ଉପଯୁକ୍ତ ବିନିଯୋଗ କରି ଯୋଜନାବଦ୍ଧ ଅଭିବୃଦ୍ଧି ଏବଂ ଉନ୍ନତ ସେବା ପ୍ରଦାନ କରାଯାଇପାରିବ।
ସମଗ୍ର ଓଡ଼ିଶାରେ ସ୍ୱଚ୍ଛ ଏବଂ ଦକ୍ଷ ସହରାଂଚଳ ଜମି ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦକ୍ଷତା ବୃଦ୍ଧି ଏବଂ ଜ୍ଞାନ ଆଦାନପ୍ରଦାନ କ୍ଷେତ୍ରରେ ବିଭାଗ ନିଜର ପ୍ରତିବଦ୍ଧତା ଦୋହରାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା