ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ଜୟପୁର, 01 ଏପ୍ରିଲ୍ (ହି.ସ.) - ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହାସଲ କରିବା ଦିଗରେ ମହାପୁରୁଷଙ୍କ ଅବଦାନ ଅତୁଳନୀୟ ପ୍ରତିଟି ଜାତି ନିଜସ୍ବ ଅସ୍ମିତା ଓ ସ୍ୱାଭିମାନକୁ ନେଇ ଗର୍ବ ଅନୁଭବ କରେ। ସେହି ପରିପ୍ରେକ୍ଷୀରେ ଓଡ଼ିଆ ଜାତି ସବୁବେଳେ ନିଜର ଭାଷା, ସଂସ୍କୃତି ଇତ୍ୟାଦି ଦିଗରେ ଶ୍ରେଷ୍ଠତା ବଜାୟ ରଖିଛ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ


ଜୟପୁର, 01 ଏପ୍ରିଲ୍ (ହି.ସ.) - ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହାସଲ କରିବା ଦିଗରେ ମହାପୁରୁଷଙ୍କ ଅବଦାନ ଅତୁଳନୀୟ ପ୍ରତିଟି ଜାତି ନିଜସ୍ବ ଅସ୍ମିତା ଓ ସ୍ୱାଭିମାନକୁ ନେଇ ଗର୍ବ ଅନୁଭବ କରେ। ସେହି ପରିପ୍ରେକ୍ଷୀରେ ଓଡ଼ିଆ ଜାତି ସବୁବେଳେ ନିଜର ଭାଷା, ସଂସ୍କୃତି ଇତ୍ୟାଦି ଦିଗରେ ଶ୍ରେଷ୍ଠତା ବଜାୟ ରଖିଛି। ଆଜି କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଗୌରବାବହ ଉତ୍କଳ ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସିକିମ୍ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ ଯୋଗ ଦେଇ କହିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର। ଉତ୍କଳ ଦିବସ ହେଉଛି ଓଡ଼ିଶାର ପ୍ରତିଟି ମହାପୁରୁଷଙ୍କୁ ସ୍ମରଣ କରିବାର ଦିନ। ଓଡ଼ିଶାକୁ ୧୯୩୬ ମସିହାରେ ସ୍ବତନ୍ତ୍ର ପ୍ରଦେଶ କରିବା ଦିଗରେ ସେହି ଜନନାୟକଙ୍କ ବଳିଦାନ ଅନନ୍ୟ।

କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଆବାହକ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗମୁଖ୍ୟ ଡ଼କ୍ଟର ପ୍ରଦୋଷ କୁମାର ସ୍ୱାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼କ୍ଟର ପ୍ରସେନଜିତ୍ ସିହ୍ନା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିତ୍ତ ଅଧିକାରୀ ଦୁର୍ଯୋଧନ ସେଠୀ ଓ ଛାତ୍ର ମଙ୍ଗଳ ଶାଖାର ଅଧ୍ଯକ୍ଷ ଡ଼କ୍ଟର ରମେନ୍ଦ୍ର କୁମାର ପାଢ଼ୀ ଉତ୍କଳ ଦିବସର ମହତ୍ତ୍ୱକୁ ବୁଝାଇବା ସହ ୨୦୩୬ ମସିହା ବେଳକୁ ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତିରେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତ୍ୟେକ ନାଗରିକ ଏବେ ଠାରୁ ନିଜର ଦାୟିତ୍ୱବୋଧକୁ ବୁଝି କାର୍ଯ୍ୟ ନିଭାଇବାକୁ ପଡ଼ିବ।

ସଭାଧ୍ୟକ୍ଷ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ନିଜ ବକ୍ତବ୍ୟରେ ଓଡ଼ିଶାର ଇତିହାସକୁ ବିସ୍ତାରିତ ଭାବେ ଆଲୋଚନା କରିବା ସହ ଉତ୍କଳୀୟ ସଂସ୍କୃତି ସାରା ଦେଶ ତଥା ବିଶ୍ୱରେ ବେଶ୍ ପ୍ରସିଦ୍ଧ ବୋଲି କହିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଗବେଷଣା ଛାତ୍ରୀ କବିତା ବଢ଼େଇ ଓ ସାଥୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଲୋକସମ୍ପର୍କ ଅଧିକାରୀ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଗବେଷକ, ଗବେଷିକା, ଶିକ୍ଷାର୍ଥୀଙ୍କ ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ସହାୟକ ପ୍ରାଧ୍ୟାପକ ଡକ୍ଟର ଗଣେଶ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଶାଶ୍ୱତ ଦଣ୍ଡିଆ ମଞ୍ଚ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande