
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଉତ୍କଳ ଦିବସରେ ଶୁଭକାମନା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ର୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ େଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ,ଉତ୍କଳ ଦିବସର ଏହି ବିଶେଷ ଅବସରରେ ଆପଣ ଜଣାଇଥିବା ହାର୍ଦ୍ଦିକ ଶୁଭକାମନା ପାଇଁ ମୁଁ ଓଡ଼ିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ ସଂସ୍କୃତିକୁ ଆପଣ ଏକ ସଭ୍ୟତାଗତ ଐତିହ୍ୟ ଭାବେ ବର୍ଣ୍ଣନା କରିଥିବାରୁ ଆମେ ଗର୍ବିତ।
ଓଡ଼ିଶା ସହିତ ଆପଣଙ୍କର ଦୀର୍ଘ ଦିନର ସମ୍ପର୍କ, ବିଶେଷକରି ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଥିବା ସୂର୍ଯ୍ୟ ମନ୍ଦିର ଏବଂ ରଥଯାତ୍ରାର ସମାନତା ବିଷୟରେ ଆପଣଙ୍କ ସ୍ମୃତିଚାରଣ ଆମକୁ ଅଭିଭୂତ କରିଛି । ଅହମ୍ମଦାବାଦ ରଥଯାତ୍ରାରେ ଆପଣ କରିଥିବା ପହଣ୍ଡି ବିଧିର ଅନୁଭୂତି ଆମ ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଛି ।
ଓଡ଼ିଶାର ପ୍ରଗତି ପାଇଁ ଆପଣଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପ୍ରଶଂସନୀୟ । ୨୦୨୫-୨୬ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ୧୦,୬୦୦ କୋଟି ଟଙ୍କାର ରେକର୍ଡ ପାଣ୍ଠି ଆବଂଟନ ଏବଂ ବନ୍ଦର ଭିତିକ ବିକାଶ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଓ ଶିଳ୍ପଭିତିକ ରାଜ୍ୟରେ ପରିଣତ କରିବ । ଏଥିସହିତ, ସୁଭଦ୍ରା ଯୋଜନା ଦ୍ୱାରା ୧ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଆମ ସରକାରଙ୍କ ପ୍ରୟାସକୁ ଆପଣଙ୍କ ପ୍ରଶଂସା ଆମର 'ନାରୀ ଶକ୍ତି'କୁ ଆହୁରି ଉତ୍ସାହିତ କରିବ।
ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, 'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଗଠନ କରିବା ନେଇ ଆପଣଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ସାମୂହିକ ଭାବେ ଚେଷ୍ଟା ଜାରି ରଖିବୁ । ଓଡ଼ିଆ ଅସ୍ମିତା ଏବଂ ଭାଷା, ସଂସ୍କୃତିର ସଂରକ୍ଷଣ ପାଇଁ ଆମ ସରକାର ସଦା ସର୍ବଦା ସଂକଳ୍ପବଦ୍ଧ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଂଟ ହାସଲ କରିବ ଏବଂ ଭାରତ ସରକାରଙ୍କ ସହିତ ଏକ ସହଭାଗୀ ସଂକଳ୍ପ ନେଇ ଆମେ ଏହି ବିକାଶ ଯାତ୍ରାରେ ଆଗକୁ ବଢ଼ିବୁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା