
Bhubaneswar, 31 ମାର୍ଚ୍ଚ (ହି.ସ.)
ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟୟର ସଦ୍ୟତମ ଉଦାହରଣ
ରାଜ୍ୟରେ ଦିନକୁ ୪ ହତ୍ୟା ଓ ୮ ଦୁଷ୍କର୍ମ
ବଙ୍ଗୀୟ ମହିଳା ଓଡିଶାରେ ଅସୁରକ୍ଷିତ, ଓଡିଶା ବିଜେପି ନେତା ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ଉପରେ ପ୍ରଚାର କରିବା ଦୁର୍ଭାଗ୍ୟଜନକ
ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ
ମାର୍ଚ୍ଚ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରର ତମଣ୍ଡୋ ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ପଶ୍ଚିମବଙ୍ଗର ଜଣେ ୨୫ ବର୍ଷୀୟ ମହିଳା ପର୍ଯ୍ୟଟକ ଭୁବନେଶ୍ୱର ରେଳଷ୍ଟେସନକୁ ଯିବା ପାଇଁ ଅପେକ୍ଷା କରିଥିଲେ । ଆମ୍ୱୁଲାନ୍ସରେ ଲିଫ୍ଟ ଦେବା ବାହାନାରେ ଷ୍ଟେସନକୁ ନେବା ପରିବର୍ତ୍ତେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ୨ ଜଣ ଦୁର୍ବୁତ୍ତ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ବିଜେପି କ୍ଷମତାକୁ ଆସିବା ପରେ ଓଡିଶାରେ ମହିଳା ମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଜୁଲାଇ ୧, ୨୦୨୪ରୁ ୩୧ ଡିସେମ୍ୱର ୨୦୨୫ ପର୍ଯ୍ୟନ୍ତ ମାତ୍ର ୧୮ ମାସରେ ଓଡ଼ିଶାରେ ୪୮,୭୯୮ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ଏଥିରେ ୪୨୯୨ଟି ଦୁଷ୍କର୍ମ ମାମଲା ସାମିଲ୍ ରହିଛି, ଯାହା ଓଡ଼ିଶା ଇତିହାସରେ କେବେ ଘଟି ନଥିଲା । ବର୍ତ୍ତମାନ ମହିଳା ଅସଦାଚରଣ ମାମଲାରେ ବିଜେପି ଶାସିତ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି ।
ରାଜ୍ୟରେ ୨୦୨୫ ବର୍ଷରେ ୨,୨୯,୮୮୧ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି, ଯାହା ୨୦୨୪ ତୁଳନାରେ ୭.୩% ବୃଦ୍ଧି ପାଇଛି । ହତ୍ୟା ମାମଲା ୧,୩୦୪ଟି (ପ୍ରତିଦିନ ୪ଟି ହତ୍ୟା) ଏବଂ ଦୁଷ୍କର୍ମ ମାମଲା ୨୯୯୪ଟି (ପ୍ରତିଦିନ ୮ଟି ଦୁଷ୍କର୍ମ) । ରାଜ୍ୟରେ ଦିନକୁ ୪ ହତ୍ୟା ଓ ୮ ଦୁଷ୍କର୍ମ ଘଟଣା ହେଉଛି ବିଜେପି ସରକାରର ସଫଳତା । ଗୋପାଳପୁର, ଧଉଳି, ବାଲିହାରଚଣ୍ଡୀ, ଚନ୍ଦ୍ରଗିରି ସହିତ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ବୃଦ୍ଧି ପାଉଛି । ବିଜେଡି ସରକାର ସମୟରେ କରାଯାଇଥିବା ୬୦୦ ମହିଳା ଓ ଶିଶୁ ଡେସ୍କ ଏବେ ସମ୍ପୂର୍ଣ୍ଣ ଅଚଳ । ମାତ୍ର ୫ ମାସରେ ୫୦ରୁ ଅଧିକ ନାବାଳିକା ଗର୍ଭବତୀ ହୋଇଛନ୍ତି । ଏହା ଓଡ଼ିଶାର ମହିଳା ଓ ଶିଶୁ ସୁରକ୍ଷାର ଦୁର୍ବଳ ଚିତ୍ର ଉପସ୍ଥାପନ କରୁଛି ।
ଶ୍ରୀମତୀ ଜେନା ଆହୁରି କହିଥିଲେ, ଓଡିଶାରେ ମହିଳା ମାନେ ଅସୁରକ୍ଷିତ ଥିଲାବେଳେ ପଶ୍ଚିମବଙ୍ଗରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ବିଜେପିର ମାଳ ମାଳ ନେତା, ମନ୍ତ୍ରୀ ଓ ବିଧାୟକ ନିର୍ବାଚନ ପ୍ରଚାର କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ । ରାଜଧାନୀର ରାଜରାସ୍ତାରେ ପଶ୍ଚିମବଙ୍ଗର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଘଟଣା ପ୍ରମାଣ କରୁଛି ଯେ, ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ନାରୀ ସୁରକ୍ଷା ଦିଗରେ ସରକାର ଯତ୍ନବାନ ହୁଅନ୍ତୁ । ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା ଲଢ଼େଇ କରିଆସିଛି, ଆଗାମୀ ଦିନରେ ମଧ୍ୟ ଏହି ଲଢ଼େଇ ଜାରି ରଖିବ ବୋଲି ଶ୍ରୀମତୀ ଜେନା କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା