
ଚମ୍ପୁଆ,୩୧ ମାର୍ଚ୍ଚ(ହି.ସ.) – ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନିରୁଦ୍ଧ ନାଥ ଗୁରୁଜୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶା, ଉତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର ଯୋଗଦେଇ ଅନିରୁଦ୍ଧ ଗୁରୁଜୀ ଜଣେ କର୍ମଠ, ନିଷ୍ଠାବାନ, ସମୟାନୁବର୍ତୀ, ମେଳାପୀ ଓ ଭଦ୍ର ସ୍ୱଭାବର ବ୍ୟକ୍ତିତ୍ୱ ବୋଲି କହିବା ସହିତ ତାଙ୍କର ପରବର୍ତୀ ଜୀବନ ନିରାମୟ ଓ ସୁଖ କାମନା କରିଥିଲେ। ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗଦେଇ ଅନିରୁଦ୍ଧ ଗୁରୁଜୀ ଜଣେ ଛାତ୍ର ବତ୍ସଳ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗଦେଇ ଗୁରୁଜୀଙ୍କ ଅବସର କାଳୀନ ପରବର୍ତୀ ଜୀବନ ନିରାମୟ ଓ ସୁଖ ସମୃଦ୍ଧି କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତ ଯୋଗଦେଇ ଗୁରୁଜୀଙ୍କ ଭଲଗୁଣଗୁଡ଼ିକର ସ୍ମୃତିଚାରଣ କରିଥିଲେ। ଆଚାର୍ଯ୍ୟ ଉଗ୍ରସେନ ମହାନ୍ତ, ଆଚାର୍ଯ୍ୟା ସରଳା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ ଆଦି ଗୁରୁଜୀଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ସଭାର ଆଭିମୁଖ୍ୟ କଥନ କରିଥିଲେ। ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ, ମାନପତ୍ର, ଉତରୀୟ ଓ ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta