
ନୂଆପଡ଼ା,୩୧ ମାର୍ଚ୍ଚ(ହି.ସ.) – ଜାତୀୟ ଜନଗଣନା-୨୦୨୭ ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମୁଖ୍ୟାଳୟ ଠାରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିଭ୍ରମଣ କରି ପୁନଃ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ରାଲି ସହ ଲାଉଡ୍ ସ୍ପିକର ମାଧ୍ୟମରେ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାସହ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଜନଗଣନା ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ସେ ନୂଆପଡ଼ା ଜିଲ୍ଲାର ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଥିଲେ ଯେ, ସ୍ୱୟଂ ଗଣନାରେ ସକ୍ରିୟ ଭାଗ ନେବା ସହ ମୂଳ ଗଣନା ସମୟରେ ଗଣନାକାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଏଡିଏମ୍ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜନଗଣନା-୨୦୨୭ ଅନୁସାରେ ସ୍ୱୟଂଗଣନା ୦୧.୦୪.୨୦୨୬ରୁ ୧୫.୦୪.୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୬.୦୪.୨୦୨୬ ଠାରୁ ମୂଳ ଗଣନା କାର୍ଯ୍ୟ ଆରମ୍ଭ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ