
କେନ୍ଦୁଝର,୩୧ ମାର୍ଚ୍ଚ(ହି.ସ.) – ଜିଲ୍ଲା ପ୍ରଶାସନ ଆବାହକତ୍ୱରେ ସ୍ଥାନୀୟ ପୌର ପ୍ରେକ୍ଷାଳୟରେ ଆଦର୍ଶ ସମନ୍ୱିତ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ୩୮୨୬ ଜଣଙ୍କୁ ସେବା ପ୍ରଦାନ କରାଯାଇଛି। ପୂର୍ବତନ ସୈନିକ, ସେମାନଙ୍କ ପରିବାରର ବୀର ନାରୀ, ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତି ତଥା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି।
କେନ୍ଦୁଝର ଜିଲ୍ଲା ପ୍ରଶାସନ, ପୂର୍ବତନ ସୈନିକ ଲିଗ, ଷ୍ଟେସନ ମୁଖ୍ୟାଳୟ ବାଲେଶ୍ୱର (ଚାନ୍ଦିପୁର-ଅନ୍-ସି) ଦ୍ୱାରା ଆୟୋଜିତ ଦୁଇ ଦିନିଆ ସମନ୍ୱିତ ଚିକିତ୍ସା ଶିବିରରେ ପୂର୍ବତନ ସୈନିକମାନଙ୍କ ପାଇଁ ଏକାଧିକ ସେବା ପ୍ରଦାନ କରାଯାଇଛି। ଏଥିରେ 'ସ୍ପର୍ଶ' ମାଧ୍ୟମରେ ପେନସନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ, ଇସିଏଚଏ ପଞ୍ଜୀକରଣ, ସିଏସଡି ସୁବିଧା ହାସଲ ପାଇଁ ପଞ୍ଜୀକରଣ, ନିରାମୟ ସ୍ୱାସ୍ଥ୍ୟ ବୀମା, ଫିଜିଓଥେରାପି ଓ ମନସ୍ତାତ୍ୱିକ ରୋଗ ପରାମର୍ଶ ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଶଲ୍ଯ ଓ ଭେଷଜ, ଚକ୍ଷୁ, ଦନ୍ତ, ଅସ୍ଥିଶଲ୍ୟ ଚିକିତ୍ସା ସାମିଲ ରହିଛି। ଏହି ଶିବିରରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ମାନକ ପରୀକ୍ଷଣ କରାଯାଇ ଅନନ୍ୟ ଅକ୍ଷମତା ପରିଚୟ (ଟଊଓଊ) କାର୍ଡ ପ୍ରଦାନ କରାଯାଇଛି। ୧୪(ଓଡ଼ିଶା) ଏନସିସି ବାଟାଲିୟନର କ୍ୟାଡେଟମାନେ ସ୍ୱେଚ୍ଛାସେବୀ ଭାବେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଚିକିତ୍ସିତଙ୍କ ମଧ୍ୟରେ ପାଂଚଜଣ ବୀର ନାରୀ ରହିଥିବାବେଳେ ୩୦ ଜଣଙ୍କର ନିରାମୟ ସ୍ୱାସ୍ଥ୍ୟ ବୀମା, ୧୫୧ ଜଣଙ୍କର 'ସ୍ପର୍ଶ' ମାଧ୍ୟମରେ ପେନସନ, ୨୭ ଜଣଙ୍କର ମନସ୍ତାତ୍ୱିକ ସ୍ଥିତି ଆକଳନ କରାଯାଇଛି। ସେହିପରି ୨୭ ଜଣ ଯୁଦ୍ଧ ଫେରନ୍ତା ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଆବାହକଭାବେ ଜିଲ୍ଲାପାଳ ବିଶାଳ ସିଂହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ବାଲେଶ୍ୱର ଷ୍ଟେସନ ମୁଖ୍ୟାଳୟ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଛତିଶଗଡ଼ ଏବଂ ଓଡ଼ିଶା ସବ୍ଏରିଆ କମାଣ୍ଡର ବ୍ରିଗେଡିୟର୍ ଟି.ଏସ୍. ବାୱା ଏହି ଦୁଇ ଦିନିଆ ଶିବିରକୁ ଉଦଘାଟନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA