ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟତା ଦିବସ ପାଳିତ
ନୂଆପଡ଼ା, ୩୧ ମାର୍ଚ୍ଚ (ହି.ସ.) - ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟତା ଦିବସ–୨୦୨୬ ସ୍ଥାନୀୟ ପଥପ୍ରାନ୍ତ ସେବା କେନ୍ଦ୍ରରେ ଆଜି ପାଳିତ ହୋଇଯାଇଛି। ଏ ବର୍ଷ ଏହି କାର୍ଯ୍
Kinnar drushtata divas


ନୂଆପଡ଼ା, ୩୧ ମାର୍ଚ୍ଚ (ହି.ସ.) - ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟତା ଦିବସ–୨୦୨୬ ସ୍ଥାନୀୟ ପଥପ୍ରାନ୍ତ ସେବା କେନ୍ଦ୍ରରେ ଆଜି ପାଳିତ ହୋଇଯାଇଛି। ଏ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଅନେକରେ ଏକ – ସମାନତା, ଆତ୍ମଗୌରବ ଏବଂ ଅଧିକାର ପାଇଁ ଏକ ପ୍ରୟାସ”। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ସୁର୍ମି ସୋରେନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, କିନ୍ନର ସଂଘ “ସାଥୀ” ର ଅଧ୍ୟକ୍ଷା ଜୁଲି ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ନିଜ ଉଦବୋଧନରେ ଜିଲ୍ଲାପାଳ କହିଥିଲେ ଯେ, କିନ୍ନର ସମୁଦାୟକୁ ସମାଜର ଅଂଶ ଭାବେ ଗ୍ରହଣ କରି ସେମାନଙ୍କ ସମାନ ଅଧିକାର, ସମ୍ମାନ ଓ ଆତ୍ମଗୌରବ ସୁନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ। ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ଆଣିବା ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ଲିଙ୍ଗକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସଚେତନତାମୂଳକ ଆଲୋଚନା ସହ ଝୋଟି, ପୁଚି ଖେଳ, ହୁଲାହୁଲି, ମ୍ୟୁଜିକ୍ ଚେୟାର, ନୃତ୍ୟ-ସଙ୍ଗୀତ ଓ ବ୍ୟୁଟି କନ୍େଟଷ୍ଟ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶେଷରେ ଅତିଥିମାନେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ୧୦୪ ଜଣ କିନ୍ନର ଚିହ୍ନଟ ହୋଇଥିବାବେଳେ ୬୭ ଜଣଙ୍କୁ ପରିଚୟପତ୍ର ଜାରି କରାଯାଇଛି ଓ ୩୫ ଜଣଙ୍କୁ ପେନସନ ସୁବିଧା ଯୋଗାଇ ଦିଆଯାଉଛି। ଅବଶିଷ୍ଟ ସମସ୍ତଙ୍କୁ ଶୀଘ୍ର ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କିନ୍ନର ସମୁଦାୟର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆଜି ସକାଳେ, ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟତା ଦିବସ–୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟାଳୟ ଠାରୁ ଏକତା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୂର୍ମି ସୋରେନ୍, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande