
ଝାରସୁଗୁଡା, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଆୟୋଜିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କାର୍ଯ୍ୟକ୍ରମ ନିମନ୍ତେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ରକୁ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗରତିଆ ଓ କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ଅଭିଭାବକମାନଙ୍କୁ ଶିକ୍ଷାର ଗୁରୁତ୍ୱ ଏବଂ ସରକାରୀ ବିଦ୍ୟାଳୟରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ଏପ୍ରିଲ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ଏହି ଖଡ଼ି ଛୁଆଁ ଦିବସକୁ ଉତ୍ସବ ସହକାରେ ଅତି ଆଡମ୍ବରରେ ପାଳିତ ହେବ, ଯେଉଁଠାରେ ନୂତନ ଭାବେ ନାମ ଲେଖାଇଥିବା ଶିଶୁମାନଙ୍କୁ ସ୍ୱାଗତ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ