
ଝାରସୁଗୁଡ଼ା, ୩୧ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ଓ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୨୦୨୬ ମାସ ପାଇଁ ୯୮ତମ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ମୋଟ ୫ଟି ନିବେଶ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକର ସମୁଦାୟ ପୁଞ୍ଜି ନିବେଶ ମୂଲ୍ୟ ପ୍ରାୟ ୧୧୮.୯୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ପ୍ରାୟ ୧୨୪୧ ଜଣ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମାଣ୍ଡିଆ ବେକେରୀ ୟୁନିଟ୍, ରିଫ୍ରାକ୍ଟୋରୀ ଇଟା, ତରଳ ପ୍ରାକୃତିକ ଗ୍ୟାସ ମଲ୍ଟି ଫାସିଲିଟି ଆଉଟଲେଟ୍, ରେଳୱେ ସାଇଡିଂ ଏବଂ ଆଲୁମିନିୟମ କଣ୍ଡକ୍ଟର ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି।
ଏହି ବୈଠକରେ ମାଣ୍ଡିଆ ବେକେରୀ ଏବଂ ଏଲଏନଜି ମଲ୍ଟି ଫାସିଲିଟି ଆଉଟଲେଟ୍ କ୍ଷେତ୍ରରେ ୧୪.୪୬ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ପ୍ରଶାସନ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଅନୁମୋଦିତ ପ୍ରକଳ୍ପ ଦ୍ୱାରା ପ୍ରାୟ ୪୧ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି।
ଉକ୍ତ ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଉଦ୍ୟାନ କୃଷି ବିଭାଗର ପ୍ରତିନିଧି, ଇଡକୋ ସମ୍ବଲପୁରର ପ୍ରତିନିଧି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ଝାରସୁଗୁଡ଼ା ଓ କୋଲାବିରା ତହସିଲଦାର, ଲିଡ୍ ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ, ବାଣିଜ୍ୟିକ କର ଓ ଜିଏସଟି ବିଭାଗର ଯୁଗ୍ମ କମିଶନରଙ୍କ ପ୍ରତିନିଧି, ବୁର୍ଲା ଜଳସେଚନ ବିଭାଗର ପ୍ରତିନିଧି ଏବଂ ଦୀପା ଟିମ୍ ର ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ