
କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ମେଳା ଉପଲକ୍ଷେ ଜିଲ୍ଲା କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଏବଂ ମତ୍ସ୍ୟ ବିଭାଗ ତରଫରୁ ଅନୁଷ୍ଠିତ ଜନ ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଚିତାକର୍ଷକ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ସଫଳତାର ସହିତ ପରିବେଷିତ ହୋଇଯାଇଛି। ବିମଳ ପରିଡ଼ାଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତପନ ତରାଇଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ମୃତିରେଖା ବିଶ୍ୱାଳ, ପ୍ରତୀକ୍ଷା ନାୟକ, ଅଙ୍କିତା ପରିଡ଼ା, ରାଜଲକ୍ଷ୍ମୀ ପରିଡ଼ା, ଅଙ୍କିତା ସାହୁ, ଅର୍ପିତା ସାହୁ, ଅଭିଲିପ୍ସା ସାହୁ, ରୂପାଲି ସୂତାର, ରେଖାଞ୍ଜଳି ଜେନା, ପ୍ରୀତିପ୍ରଜ୍ଞା ବିଶ୍ୱାଳ, ଯାଜ୍ଞସେନୀ ପ୍ରଧାନ, ଶୁଭଲକ୍ଷ୍ମୀ ବେହେରା, ମାନିନୀ ରାଉତ ପ୍ରମୁଖ ନୃତ୍ୟ ଶିଳ୍ପୀମାନେ କୃଷି ଯନ୍ତ୍ରପାତି ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉପରେ ଆଧାରିତ ସଚେତନତା ଧର୍ମୀ ଲୋକ ନୃତ୍ୟ ପ୍ରସ୍ତୁତ କରିଥିଲେ। ମେଳାର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଂଚମ ଦିବସରେ ଭାବଗ୍ରାହୀ କଳା ନିକେତନର ଏହି କାର୍ୟ୍ୟକ୍ରମ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଉପସ୍ଥିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ଏବଂ ପ୍ରସଂଶିତ ହୋଇଥିଲା। ସୁଭଦ୍ରା ଶକ୍ତି ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। ସଭା ଶେଷରେ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା ଅକ୍ଷୟ ମହାନ୍ତିଙ୍କ କେତେକ କାଳଜୟୀ ସଙ୍ଗୀତ ପରିବେଷଣ କରିଥିଲେ। ରୂପାଲି ସୂତାର, ପ୍ରତୀକ୍ଷା ନାୟକ ଏବଂ ସ୍ମୃତିରେଖା ବିଶ୍ୱାଳ ଅକ୍ଷୟଙ୍କ କାଳଜୟୀ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସଙ୍କ ଅନୁରୋଧରେ ବିମଳ ପ୍ରସାଦ ପରିଡ଼ା ପୁଣ୍ୟର ନଦୀ ତୀରେ ଏବଂ ଏଇ ଯେ ବନଲତା ପାହାଡ଼ ଗୀତ ଗାଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ପ୍ରକାଶ ଗୌଡ ଏହି କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତିଙ୍କ ନିଶି ବିଜନେ ଗୀତ ଗାଇଥିଲେ। ଏହି ଅବସରରେ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି