
ମାଲକାନଗିରି, ୩୧ ମାର୍ଚ୍ଚ (ହି.ସ.)- କାଲିମେଳା ଥାନା ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି । ଗୁରୁତର ଯୁବକଙ୍କ ନାମ ବୁଧିନାଥ କବାସୀ ବୋଲି ଜଣାପଡ଼ିଛି। ସେ ମହୁଲ ଗୋଟେଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣକାରୀମାନେ ଧନୁତୀର ଓ ପଥର ବ୍ୟବହାର କରି ବୁଧିନାଥଙ୍କୁ ଗୁରୁତର ଭାବେ ଆହତ କରିଥିଲେ। ଘଟଣାସ୍ଥଳରୁ ସେ ରକ୍ତାକ୍ତ ଅବସ୍ଥାରେ ଖସି ଯାଇ ପ୍ରଥମେ କାଲିମେଳା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଭିମା କବାସୀ, ସୋମନାଥ କବାସୀ ଓ ଲକ୍ଷ୍ମଣ କବାସୀଙ୍କୁ ଅଭିଯୁକ୍ତ ଭାବେ ପୋଲିସ ଚିହ୍ନଟ କରିଛି। ଆକ୍ରାନ୍ତଙ୍କ ସ୍ତ୍ରୀ ସୁକାନ୍ତି କବାସୀ କାଲିମେଳା ଥାନାରେ ଏ ସମ୍ପର୍କରେ ଏତଲା ଦାଖଲ କରିଛନ୍ତି। ଏତଲା ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ