
ପୁରୀ, ୩୧ ମାର୍ଚ୍ଚ (ହି.ସ.)- ପୁରୀ ଚକ୍ରତୀର୍ଥ ସମୁଦ୍ରକୂଳ ଅଞ୍ଚଳରେ କିଛି ଜାଗା ମାଫିଆ ବାଉଁଶ ବତାରେ ବାଡ କରି ନାମକୁ ମାତ୍ର ଝାଉଁଗଛ ଲଗାଇ ଦଖଲରେ ରଖିଛନ୍ତି । ଆସ୍ତେ ଆସ୍ତେ ସେଠାରେ ଖଟ ଓ ଚେୟାର ପକାଇ ଶଙ୍ଖମାଳି ବେପାର କରି ପରେ ଇଟାରେ ପାଞ୍ଚ ଇଞ୍ଚ କାନ୍ଥ କରି ଆଜବଷ୍ଟେସ ପକାଇବା ଯୋଜନା କରୁଥିବା ଅଭିଯୋଗ ହେଉଛି । ପରେ ସେହି ଜାଗାକୁ ଅନ୍ଯ ହୋଟେଲ ମାଲିକଙ୍କୁ ବିକ୍ରି କରିବା ମସୁଧା ହୋଇପାରେ ବୋଲି କୁହାଯାଉଛି । ଏହିଭଳି ଅନେକ ଘଟଣା ପୂର୍ବରୁ ସେହି ଅଞ୍ଚଳରେ ଘଟିଥିବା କୁହାଯାଉଛି । ଜଣେ ବିଶିଷ୍ଟ ହୋଟେଲ ଶିଳ୍ପ ମାଲିକ ସମୁଦ୍ରକୂଳ ମାଡିବସି କିଛି ଗଛ ଲଗାଇ ବାହାଘର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ପୌରସଂସ୍ଥା ଦିନରେ ଜଳକା ହୋଇ ବସି ରହିଥିବା କୁହାଯାଉଛି । ସେହି ସ୍ଥାନରେ ଶୌଚାଳୟ, ଲଗେଜ ରୁମ ଓ ମହିଳାଙ୍କ ବସ୍ତ୍ର ପରିବର୍ତ୍ତନ ଗୃହ ନିର୍ମାଣ କରିବା ପାଇଁ ଆମ ଆଦମୀ ପାର୍ଟି (ଆପ୍) ପ୍ରସ୍ତାବ ଦେଇଛି । ସେହି ବାଉଁଶ ଘେରି ବାଡ ଭାଙ୍ଗିବା ପାଇଁ ମଙ୍ଗଳବାର ଦିନ ଆପ୍ ପକ୍ଷରୁ ଏକ ଦାବିପତ୍ର ପୁରୀ ପୌରନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ପ୍ରଦାନ କରିଛନ୍ତି । ଖାଲି ଚକ୍ରତୀର୍ଥ ଅଞ୍ଚଳ ନୁହେଁ ପେଣ୍ଠକଟା ଠାରୁ ଷ୍ଟର୍ଲିନ ମୁହାଣ ପର୍ଯ୍ୟନ୍ତ ଅନେକ ବେନାମୀ ବ୍ଯକ୍ତି ସମୁଦ୍ରକୂଳକୁ ଦଖଲ କରି ବ୍ଯବସାୟ କରୁଥିବା ଦେଖାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ